ବଲାଙ୍ଗିର,ଏନ୍ଏନ୍ଏସ୍: ଭୀମଭୋଇ ମେଡିକାଲ କଲେଜରେ ବିଜୁଳି, ପାଣି ଓ ଅନ୍ୟାନ୍ୟ ଭିତ୍ତିଭୂମିରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଲେଜ ପରିସରରେ ଏକ ବୈଠକ କରିଛନ୍ତି । ମେଡିକାଲ କଲେଜରେ ଥିବା ସମସ୍ୟାକୁ ନେଇ ବିଗତ ଦିନରେ କଲେଜ ଛାତ୍ର ସଂସଦ ତରଫରୁ ବିଧାୟକଙ୍କୁ ଭେଟି ଡାକ୍ତରୀ ଛାତ୍ରମାନେ ଅସୁବିଧା ସମ୍ପର୍କରେ ଜଣାଇଥିଲେ । ଏନେଇ ବିଧାୟକ ଶ୍ରୀ ମିଶ୍ର ଆଜି ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପାର୍ବତି ମୋହନ ପରିଡ଼ା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ଓ ବିଜୁଳି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ମେଡିକାଲ କଲେଜ ଡିନ୍ ଡା. ସବିତା ମହାପାତ୍ର ଏବଂ ଭାଇସପ୍ରିନ୍ସିପାଲ ଡା. ମାନସୀ ପଣ୍ଡା କଲେଜରେ ବିଜୁଳି ଓ ପିଇବା ପାଣିକୁ ନେଇ ଥିବା ସମସ୍ୟା ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ବିଭାଗ ତରଫରୁ ଏହାର ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ ବୋଲି କହିଥିଲେ । ଏପରିକି ଡାକ୍ତରୀ ଛାତ୍ରମାନେ ପର୍ଯ୍ୟାପ୍ତ ହଷ୍ଟେଲ ନ ଥିବାକୁ ନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଅଭିଯୋଗ ବାଢ଼ିଥିଲେ । ସମସ୍ତ ସମସ୍ୟା ସମ୍ପର୍କରେ ଶ୍ରୀ ମିଶ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରିବେ ବୋଲି ଛାତ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଅନବରତ ପାଣି ଓ ବିଜୁଳି ସେବା ଯେମିତି ରହିବ ସେନେଇ ମଧ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଏହାସହ ବିକଳ୍ପ ବ୍ୟବସ୍ଥା ରୂପେ ଏଠାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ଜେନେରେଟର ବ୍ୟବସ୍ଥା କରିବାକୁ ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନସ୍ୱାସ୍ଥ୍ୟ ବିଭାଗର ଯାହା କିଛି ସମସ୍ୟା ଉପୁଜୁଛି କଲେଜ କର୍ତ୍ତୃପକ୍ଷ ତୁରନ୍ତ ବିଭାଗକୁ ଜଣାନ୍ତୁ ଏବଂ ତା’ର ସୂଚନା ମୋ ପ୍ରତିନିଧିଙ୍କୁ ପ୍ରଦାନ କଲେ ସମସ୍ୟାର ସମାଧାନ ଦିଗରେ ନିଶ୍ଚିତ ଭାବରେ ତତ୍ପରତା ଦେଖାଦେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯନ୍ତ୍ରୀ ବିଜନ କୁମାର ଜେନା, ଅଜୟ ଜେନା, ବ୍ରହ୍ମେଶ୍ୱର ଦାଶ, ବିଧାୟକଙ୍କ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ମନୀଷ ମିଶ୍ର, ଜନସ୍ୱାସ୍ଥ୍ୟ ପ୍ରତିନିଧି ପବିତ୍ର ବେହେରା, ପୂର୍ତ୍ତ ପ୍ରତିନିଧି ଜୁଲୁ ପଟ୍ଟନାୟକ, ବୁଲୁ ଦାନି, ପୌର ପ୍ରତିନିଧି ଅଜୟ ବାଲି, କୁଳମଣି ସାହୁ ଓ ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।