ଦେବଗଡ଼,ଏନ୍ଏନ୍ଏସ୍: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଦଳୀୟ ଏଜେଣ୍ଡା ସହ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଥିବାବେଳେ ଦେବଗଡ଼ ଜିଲ୍ଲା ବିଜେପି ଦଳୀୟ କନ୍ଦଳରେ ଲିପ୍ତ ରହିଛି। ବିଜେପିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ତାଙ୍କ ସ୍ୱାମୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଞ୍ଜିତ ପଟେଲ, ସାଂସଦଙ୍କ ପ୍ରତିନିଧୀ ଯୋଗେଶ ଚନ୍ଦ୍ର ପ୍ରଧାନ ଓ ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସାମ୍ନାକୁ ଆସିଛି । ଏହି କ୍ରମରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପଟେଲ ଦେବଗଡ଼ ଥାନରେ ରାଣୀ ଅରୁନ୍ଧତୀ ଦେବୀ ଓ ତାଙ୍କ ସହଯୋଗୀଙ୍କ ନାମରେ ପୁଣି ଏକ ଏତଲା ଦେଇଥିବା ଜଣାପଡ଼ିଛି । ଏତଲା ଆଧାରରେ ପୁଲିସ ଦଫା ୫୦୦, ୫୦୭, ୨୯୪ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପଟେଲ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳରେ ବିକାଶ ଅପହଞ୍ଚ ରହିବା ସହ ଉଭୟେ ଦୁର୍ନୀତି ଗସ୍ତ ଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳର ଜନସଧାରଣ ସେମାନଙ୍କ ପଞ୍ଚାୟତ ଅଞ୍ଚଳରେ ପଟେଲ ଦମ୍ପତିଙ୍କ ଫଟୋରେ ଜୋତା ମାଳ, ମୁହଁରେ କାଳି ବୋଳିବା ସହ ଫଟୋଚିତ୍ରକୁ ନିଆଁରେ ପୋଡୁଥିବା ଦୃଶ୍ୟ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏହା ପଛରେ ରାଣୀ ଅରୁନ୍ଧତୀ ଦେବୀଙ୍କ ହାତ ଥିବା ଅଭିଯୋଗ କରିବା ସହ ଏହି କାରଣରୁ ଉଭୟ ଦମ୍ପତି ମାନସିକ ଯନ୍ତ୍ରଣା ଭୋଗୁଥିବା ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବା ଲିଖିତ ଚେତାବନୀ ସହ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ରାଣୀ ଅରୁନ୍ଧତୀ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ଶ୍ରୀମତୀ ପଟେଲଙ୍କ ଲିଖିତ ଏତଲା ପରେ ରାଣୀ ସାମାଜିକ ଗଣମାଧ୍ୟମରେ ‘ୟୁ କ୍ୟାନନଟ କିପ ପୁଲିଙ୍ଗ ପିପୁଲ ଅଲ ୟର ଲାଇଫ’ ‘ସତ୍ୟ ମେବ ଜୟତେ’ ଜୀବନ ସାରା ଲୋକଙ୍କୁ ଭକୁଆ ବନାଇ ପାରିବ ନାହିଁ ବୋଲି ଉଲ୍ଲେଖ କରି ପୋଷ୍ଟ କରିଛନ୍ତି । ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଏହାର ପ୍ରଭାବ ଚଳିତ ପଞ୍ଚାୟତ ନିର୍ବାଚନରେ ସ୍ପଷ୍ଟ ପ୍ରତିଫଳିତ ହେଲାଣି । ଜିଲ୍ଲାର ୭ ଜିଲ୍ଲା ପରିଷଦ ଆସନରୁ ୬ ଆସନରେ ବିଜୟୀ ହୋଇ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ଅକ୍ତିଆର କରିଥିବାବେଳେ ଚଳିତ ନିର୍ବାଚନରେ ଦୁର୍ନୀତି ଓ ପ୍ରତାରଣାକୁ ମୁଦ୍ଦା କରି ଜନସାଧାରଣ ବିଜେପିରୁ ମୁହଁ ଫେରାଉଛନ୍ତି । ବିଜେପିର ଅସଲ ମୁଖାକୁ ଖୋଦ ସାଂସଦଙ୍କ ପତ୍ନୀ ପ୍ରଘଟ କରିବା ପରେ ବିଜେପି ମହଲରେ ଚଡକ ପଡ଼ିଥିବା ବେଳେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ବିବାଦ ଚଳିତ ନିର୍ବାଚନ ରେ ଦଳକୁ ଧରାଶାୟୀ କରିବା ଆଶଙ୍କା ସୃଷ୍ଟି କରିଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ଦଳ ଛାଡ଼ି ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହେଉଥିବା ମଧ୍ୟ ବିଜେପିକୁ ଚିନ୍ତାରେ ପକାଇଛି ।