ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସଦର ପଞ୍ଚାୟତରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ସୁନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଓ ସମ୍ମାନିତ ଅତିଥିଭାବେ ଦେଓଗାଁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଜିତ କୁମାର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ । ୧୫ଟି କ୍ଲଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରଷ୍କୃତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଆକାଶବାଣୀ ଉଦଘୋଷକ ନବ କିଶୋର ବେହେରା, ଶିଶୁ ସାହିତ୍ୟିକ ହୃଷିକେଶ ପୁରୋହିତ, ଚଳଚ୍ଚିତ୍ର ଅଭିନେତା ରତନ ମେହେର ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଆସିସି ସଞ୍ଜିବ ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଏଠାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଯୋଗ ଦେବାକୁ ମନୋନୀତ ହୋଇଛନ୍ତି । ଶେଷରେ ସୁଶାନ୍ତ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।