କୋଭିଡ୍-୧୯ ବୁଷ୍ଟର୍‌ ଡୋଜ୍‌ ଟିକାକୁ ଅନୁମୋଦନ ଦେଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ୍‌-୧୯ ‘ବୁଷ୍ଟର୍‌ ଡୋଜ୍‌’ ବା ‘ପ୍ରିକସ୍‌ନାରି ଡୋଜ୍‌’ ଟିକାକୁ ଭାରତ ଅନୁମୋଦନ କରିଛି। ଏହି ଟିକା ଜାନୁଆରି ୧୦ ତାରିଖରୁ ସ୍ବାସ୍ଥ୍ୟସେବା ଏବଂ ଆକ୍ରାନ୍ତମାନଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ୬୦ ବଷର୍ବରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ଶନିବାର ଦିନ ଜାତି ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ।

କିନ୍ତୁ, ‘ବୁଷ୍ଟର୍‌ ଡୋଜ୍‌’ ଭାବେ ସୁପରିଚିତ ‘ପ୍ରିକସ୍‌ନାରି ଡୋଜ୍‌’ ନେବା ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ। ଡାକ୍ତରଙ୍କ ସୁପାରିସକ୍ରମେ ସେମାନେ ‘ବୁଷ୍ଟର୍‌ ଡୋଜ୍‌’ ନେଇ ପାରିବେ।

ଉଲ୍ଲେଖଯୋଗ୍ୟ, ‘ବୁଷ୍ଟର୍‌ ଡୋଜ୍‌’ ଭାବେ ଭାରତରେ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର, ଆମେରିକାରେ ଯେକୌଣସି ଅନୁମୋଦିତ ଟିକାକୁ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ଦିଆଯାଇ ପାରିବ ବୋଲି  ‘ଦି‌ ସେଣ୍ଟର୍ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଏବଂ ପ୍ରିଭେନ୍‌ସନ୍‌’ (ସିଡିସି) ଅନୁମତି ଦେଇଛି। କିନ୍ତୁ, ପୂର୍ବରୁ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ ଟିକା ନେଇଥିବା ୧୬/୧୭ ବର୍ଷର ପିଲାମାନେ ସେହି ଟିକାକୁ ହିଁ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ନେବାକୁ ସୁପାରିସ କରାଯାଇଛି।