ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ମଙ୍ଗଳବାର ରାତିରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ କୋର୍ଟରୁ ଘରକୁ ଫେରିବା ସମୟରେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପୁରୁଷୋତ୍ତମ ଗମାଙ୍ଗଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୁଧବାର ସକାଳୁ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଗତକାଲି ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍ ସୋମ ଶେଖର ଜେନା ଅଶିଦ୍ଧ ଘୋଷଣା କରିଥିଲେ। ସେପ୍ଟେମ୍ବରରେ ଏହି ମାମଲାର ଶୁଣାଣିରେ ହାଇକୋର୍ଟ କଂଗ୍ରେସ ସପକ୍ଷରେ ମତ ଦେବା ସହ ତଳକୋର୍ଟରେ ନିଜର ମତ ରଖିବାକୁ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଜଜ୍ ମାମଲାର ପୁନଃ ଶୁଣାଣି ହୋଇଥିଲା। ଗତକାଲି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଓ ପଦକୁ ଅଶିଦ୍ଧ ଘୋଷଣା କରିବା ସହ ତୁରନ୍ତ ନିର୍ବାଚନ କରି ନୂତନ ଅଧ୍ୟକ୍ଷ ଚୟନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ପଦ ଯିବାର ୨୪ ଘଣ୍ଟା ନ ପୂରୁଣୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।