ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଡିଆରଡିଏ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ରାତିରେ ଜଣେ ଯୁବକ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଝାଟିମାଟି କଲୋନୀର ମନୋଜ ନାୟକ ନାମକ ଜଣେ ଯୁବକଙ୍କର କୌଣସି କାରଣକୁ ନେଇ ପରିବାରବର୍ଗଙ୍କ ସହ ଝଗଡ଼ା ହୋଇଥିଲା। ପରେ ମନୋଜ ମଦ୍ୟପାନ କରି ଘରୁ ବାହାରି ଡିଆରଡିଏ କାର୍ଯ୍ୟାଳୟ ନିକଟକୁ ଆସି ଏକ ବ୍ଲେଡ ଯୋଗେ ବେକ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ବେକ କାଟି ହେବା ଯୋଗୁ ଅତ୍ୟଧିକ ରକ୍ତ ପ୍ରବାହ ହୋଇ ସେ ଚେତାଶୂନ୍ୟ ହୋଇପଡ଼ିଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜାଣିପାରି ମାଲକାନଗିରି ଆଦର୍ଶ ଥାନା ପୁଲିସ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ୧୦୮ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଗୁରୁୁତର ଅବସ୍ଥାରେ ଥିବା ଯୁବକଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ମାଲକାନଗିରି ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।