ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ରେଡକ୍ରସ୍ ପାଣ୍ଠିରୁ ସହାୟତା

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସଦର ଥାନା ମହାଦେଇପୁଟ ପଂଚାୟତର ମଣ୍ଡାଗୁଡ଼ା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ମହାଦେଇପୁଟର ସଦାଶିବ ପରସଲି ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ସଦାଶିବ କୋରାପୁଟ ଯାଉଥିବାବେଳେ କୌଣସି ଏକ ଗାଡ଼ି ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସଦାଶିବଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଦାଶିବ ବିଜେପିର ଜଣେ ସକ୍ରିୟ ସଦସ୍ୟ ସହ ଯୁବ ସମାଜସେବୀ ଭାବେ ସ୍ଥାନୀୟ ଅଂଚଳରେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କ ମୃତ୍ୟୁରେ କୋରାପୁଟ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ବିଜେପି ନେତା ତ୍ରିପୁରାରୀ ଗରଡ଼ା ଓ ମହାଦେଇପୁଟ ପଂଚାୟତର ନାଏବ ସରପଞ୍ଚ ପ୍ରମୁଖ ଦୁଃଖପ୍ରକାଶ କରିଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ତରଫରୁ ମୃତ ସଦାଶିବଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନଙ୍କ ଅନୁମୋଦନକ୍ରମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜୀତ ତ୍ରିପାଠୀ ସଦାଶିବଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି। ଚେକ୍ ପ୍ରଦାନ ବେଳେ ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତି, ବିଭାଗୀୟ ଏସ୍ ଓ ପ୍ରକାଶ ଚନ୍ଦ୍ର ସାମଲ ଉପସ୍ଥିତ ଥିଲେ।