ଯୁବତୀଙ୍କ ବିବାହ କରାଇଲା ସାଥୀ ପରିବାର

ଆଳି,ଏନ୍ଏନ୍ଏସ୍: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଣିକପାଟଣା ଗ୍ରାମରେ ଥିବା ସାମାଜିକ ଅନୁଷ୍ଠାନ ସାଥୀ ଫାଉଣ୍ଡେସନ ପକ୍ଷରୁ ଗ୍ରାମର ଜଣେ ଯୁବତୀଙ୍କ ବିବାହ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ଲକଡାଉନ ସମୟରେ ଟ୍ରଷ୍ଟ ପକ୍ଷରୁ ଗ୍ରାମରେ ରାସନ ସାମଗ୍ରୀ ବଣ୍ଟନ କରିବା ସମୟରେ ଗ୍ରାମର ରୋହିଣୀ ସାହୁଙ୍କ ନାତୁଣୀ ମନୀଷାଙ୍କ ବିବାହ କଳଦିଆ ଗ୍ରାମରେ ଠିକ ହୋଇଥିବା ଜାଣିବାକୁ ପାଇଥିଲେ। ମନୀଷାଙ୍କ ବାପା ମା’ କେହି ନଥିବାରୁ ବୃଦ୍ଧା ରୋହିଣୀ କିପରି ଏକାକୀ ନାତୁଣୀର ବିବାହ କରିବେ ସେ ଚିନ୍ତାରେ ଥିଲେ।

ଟ୍ରଷ୍ଟ ପକ୍ଷରୁ ରୋହିଣୀଙ୍କ ନାତୁଣୀ ମନୀଷାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ। ଗ୍ରାମରେ ଥିବା ରାମମନ୍ଦିର ପରିସରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବଡାମ୍ବିଳା ପଞ୍ଚାୟତର କଳଦିଆ ଗ୍ରାମର ସନାତନ ସାହୁଙ୍କ ପୁଅ ମନୋଜ ବିବାହ ନିମନ୍ତେ ବରବେଶ ସାଜି ବରଯାତ୍ରୀ ନେଇ ମନ୍ଦିରରେ ପହଞ୍ଚିବା ପରେ ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ ବରଣୀ କରି ନେବା ସହିତ ବରଯାତ୍ରୀଙ୍କୁ ଭୋଜିଭାତରେ ଆପାୟିତ କରିଥିଲେ। ବ୍ରାହ୍ମଣଙ୍କ ମନ୍ତ୍ର ପାଠ କରି ମନୋଜ ଓ ମନୀଷାଙ୍କୁ ବିବାହ ବନ୍ଧନରେ ଛନ୍ଦି ଥିଲେ।

ଟ୍ରଷ୍ଟ ପକ୍ଷରୁ ଉଭୟଙ୍କ ବୈବାହିକ ଜୀବନ ଆନନ୍ଦମୟ ହେଉ କାମନା କରି ଏକ ଶୁଭେଚ୍ଛା ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକୁ ଟ୍ରଷ୍ଟର ମନୋଜ ସ୍ୱାଇଁ, ଜୟ ପ୍ରକାଶ ଦାସ, ମଳୟ ସାହୁ, ସଞ୍ଜୟ ପରିଡା, ପିଲୁ ସାମଲ, ବିଜୟ ଦାସ, ଚିତ୍ତରଞ୍ଜନ ତରାଇ, ଅନିରାମି ତରାଇ, ସୌଭାଗ୍ୟ ଦାସ, ଶୁଭମ ଦାସ, ସିଦ୍ଧାର୍ଥ ଦାସ, ବିକାଶ ଦାସ, ପ୍ରକାଶ ଦାସ, ଅରୂପ ସଙ୍ଗମ ପଣ୍ଡା, ମିଲୁ ଜେନା ଓ ନରେଶ ପରିଡା ପ୍ରମୁଖ ପରିଚାଳନା କରିଥିଲେ। ଟ୍ରଷ୍ଟର ଏହି କାର୍ୟ୍ୟକୁ ବିଭିନ ମହଲରୁ ପ୍ରଶଂସା କରାଯାଇଛି।