ନାବାଳିକା ଅପହରଣ କରି ଯୁବକ ଗିରଫ

ରାମନାଗୁଡା ,ଏନ୍ଏନ୍ଏସ୍ : ଜଣେ ୧୩ବର୍ଷର ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ କୌଶଳକ୍ରମେ ଅପହରଣ କରିଥିବା ଯୁବକକୁ ରାମନାଗୁଡା ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ଅଙ୍ଗଦ ଦାଶ(୪୩) କାମଧନ୍ଦା ଅନ୍ୱେଷଣରେ ରାମନାଗୁଡା ବ୍ଲକ ଅନ୍ତଝଲି ଗ୍ରାମକୁ ଆସିଥିଲେ। ସେଠାରେ ଏକ ଚିକେନ ଦୋକାନରେ କାମ କରୁଥିଲେ। କିଛିଦିନ ହେବ ସ୍ଥାନୀୟ ଜଣେ ୧୩ବର୍ଷର ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖି ଆସୁଥିଲା। ନାବାଳିକାକୁ ଗତ ୨୦ ତାରିଖଦିନ ଅଙ୍ଗଦ ଅପହରଣ କରି ନେଇଥିଲେ। ଏନେଇ ପୁଲିସ ଖୋଜାଖୋଜି କରିବା ପରେ ନାବାଳିକା ଓ ଅଙ୍ଗଦକୁ ପୁଲିସ ବ୍ରହ୍ମପୁରରୁ ଧରିବାରେ ସକ୍ଷମ ହୋଇଛି। ସୋମବାର ଉଭୟଙ୍କୁ ଗୁଣପୁର ଥାନାକୁ ଆଣି ପଚରାଉଚରା କରିବା ସହ ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତ ଅଙ୍ଗଦଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହୋଇଛି। ଗୁଣପୁର ଏସଡିପିଓ ଅଜୟ ବାରିକଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲା ରାମନାଗୁଡା ଥାନା ଅଧିକାରୀ ହୃଷିକେଶ ହରିଚନ୍ଦନ ପରିଚାଳନା କରିଥିଲେ।