ଅସହ୍ୟ ହେଲା ଯନ୍ତ୍ରଣା : ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଚମ୍ପା

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ଗରୀବ ଆଦିବାସୀ ଝିଅ ଚମ୍ପା କାଲାକୁରା ନିଜ ଇଛାମୃତ୍ୟୁ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖିଥିବା ଜଣାପଡିଛି।

ସୁଚନା ଅନୁଯାୟୀ, ସର୍ଗିଗୁଡା ଗ୍ରାମର ନରସିଙ୍ଗ କାଲାକୁରାଙ୍କ ୨ ପୁଅ ଏବଂ ଗୋଟିଏ ଝିଅ ଥିଲେ। ଏକମାତ୍ର ଝିଅଟିକୁ ପାଠ ପଢାଇ ମଣିଷ କରାଇବେ ବୋଲି ପରିବାର ଲୋକେ ଆଶା ରଖିଥିଲେ। ହେଲେ ୨୦୦୬ ମସିହାରେ ଝିଅ ଚମ୍ପା କାଲାକୁରା ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଠାତ୍ ହାତ ଗୋଡ ଝିମା ମାରିଥିଲା। କିଛି ଦିନ ଏହି ଭଳି ହେବା ପରେ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଯାଇଥିଲା। ଅଜଣା ରୋଗରେ ପୀଡିତ ହୋଇ ଚମ୍ପା ଦୀର୍ଘ ୧୩ ବର୍ଷ ଶଯ୍ୟାସାୟୀ ହୋଇ ପଡିରହିଛି। ଶୈଶବ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ନିଜ ମୃତ୍ୟୁକୁ ଅପେକ୍ଷା କରି ରହିଛି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଯମ ଯନ୍ତ୍ରଣା ଭୋଗୁଛି। ରୋଗୀଣା ଝିଅ ଶେଷରେ ଅସହ୍ୟ ହୋଇଛି। ମୃତ୍ୟୁ ନିମନ୍ତେ ଖୋଲା ଦରଖାସ୍ତ କରି ରାଜ୍ୟ ମୁଖିଆ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛି। ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇବା ପାଇଁ ପରିବାର ଲୋକେ ବହୁ ଟଙ୍କା ଖର୍ଚ୍ଚ କରିବା ସହ ଜମି ବିକ୍ରି ସାରିଲେଣି। ପ୍ରଥମେ ମାଥିଲି, ମାଲକାନଗିରି, କୋରାପୁଟ ଜିଲ୍ଲାର ଲମତାପୁଟର ଆଶା କିରନ, ନବରଙ୍ଗପୁରର ଜର୍ମାନ ହସ୍ପିଟାଲରେ ଦେଖାଇ କୌଣସି ସୁଫଳ ମିଳିନଥିଲା। ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଛି। ଅଜଣା ରୋଗର କଷ୍ଟ ସହି ପାରୁନାହିଁ ଚମ୍ପା। ତେଣୁ ଶେଷରେ କୌଣସି ଉପାୟ ନ ପାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଇଛା ମୃତ୍ୟୁ ପାଇଁ ଆକୁଳ ନିବେଦନ କରିଛନ୍ତି। ମୋତେ ଇଛା ମୃତ୍ୟୁ ପାଇଁ ଅନୁମତି ଦିଆ ଯାଉ ବୋଲି ନିବେଦନ କରିଛନ୍ତି।