କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ବାଲିମେଳା ନଗର ଓସିସି କଲୋନୀ ନିକଟରେ ଥିବା ଏକ ଗୋଦାମ ଘରେ ଯୁବକଟିର ସନ୍ଦେହଜନକ ମୃତ୍ୟ ହୋଇଥିବା ଜଣାପଡିଛି । ମୃତ ଯୁବକର ନାମ ହେଲା ତିରୁପତି ସୁନା(୨୮)। ଘର ନୂଆ ବସ ଷ୍ଟାଣ୍ଡ ନିକଟରେ ।
ପରିବାର ଲୋକଙ୍କ କହିବାନୁଯାୟୀ, ରବିବାର ସନ୍ଧ୍ୟା ୫ ଟା ସମୟରେ ଗୋଦାମ ଘରେ କିଛି କାମ ଅଛି ବୋଲି କହି ତିରୁପତି ଘରୁ ବାହାରି ଯାଇଥିଲା । ତେବେ ବହୁ ସମୟ ଧରି ତିରୁପତି ଘରକୁ ନ ଫେରିବାରୁ ଏବଂ ଫୋନ କଲେ ରିସିଭ ନ କରିବାରୁ ଘର ଲୋକେ ବ୍ୟତିବ୍ୟସ୍ତ ହୋଇ ଉକ୍ତ ଗୋଦାମ ଘରକୁ ନିଜର ଅନ୍ୟ ଦୁଇ ପୁଅକୁ ପଠାଇଥିଲେ। ତେବେ ସେଠି ଯାଇ ଦୁଇ ଭାଇ ଦେଖିଲାବେଳକୁ ଗୋଦାମ ଘରର କବାଟ ଭିତର ପଟୁ ବନ୍ଦ ରହିଥିଲା । ଉକ୍ତ କବାଟକୁ ଭାଙ୍ଗି ଦୁଇ ଭାଇ ଦେଖିଲା ବେଳକୁ ଏକ ରସି ଯୋଗେ ତିରୁପତି ଆତ୍ମହତ୍ୟା କରିଥିବା ଦେଖିଥିଲେ ।
ଏହା ଦେଖି ସଙ୍ଗେ ସଙ୍ଗେ ମୃତ ଯୁବକର ଦୁଇ ଭାଇ ତାକୁ ସ୍ଥାନୀୟ ମେଡିକାଲକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଓରକେଲ ପୋଲିସ ମେଡିକାଲରେ ପହଁଚି ଶବ ଜବତ କରିଥିଲେ । ଏହାସହ ଆଜି ଶବ ଟିକୁ ପୋଲିସ ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରିକୁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି ।