ତୁଷୁରା ହସ୍ପିଟାଲକୁ ଯୁବ ବ୍ୟବସାୟୀ ଦେଲେ ୨ଟି ଅକ୍ସିଜେନ ସିଲିଣ୍ଡର

ଦେଓଗାଁ,ଏନ୍ଏନ୍ଏସ୍: କରୋନା ଯୋଗୁ ମନୁଷ୍ୟ ଶରୀରରେ ଅକ୍ସିଜେନ ଅଭାବ ଦେଖାଦେଉଛି। ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଉଛି। ଅକ୍ସିଜେନ ଅଭାବ ଦୂର କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ୱେ ହସ୍ପିଟାଲରେ ଲୋକେ ଛଟପଟ ହୋଇ ମରୁଛନ୍ତି। ଏଭଳି ସ୍ଥିତିରେ ପିଙ୍କୁ ଅଗ୍ରୱାଲ ନାମକ ଜଣେ ଯୁବ ବ୍ୟବସାୟୀ ତୁଷୁରା ହସ୍ପିିଟାଲକୁ ୨ଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିଛନ୍ତି। ଏହି ସମୟରେ ତୁଷୁରା ଚିକିତ୍ସାଳୟ ଅଧିକାରୀ ଡା. ସାର୍ଥକ ମିଶ୍ର, ଥାନାଧିକାରୀ ବି ରୁଦ୍ରୀଆ ଓ ଗୁଡ଼ଭେଲା ବ୍ଲକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଉପସ୍ଥିତ ଥିଲେ। ତୁଷୁରା ହସ୍ପିିଟାଲରେ ଗୋଟିଏ ମାତ୍ର ଅକ୍ସିଜେନ ସିଲିଣ୍ଡର ଥିବାରୁ ସବୁବେଳେ ଅକ୍ସିଜେନ ଅଭାବ ରହି ଆସୁଥିଲା। ଏହି ୨ଟି ସିଲିଣ୍ଡର ପ୍ରଦାନ ପରେ ହସ୍ପିଟାଲରେ ଆଉ ଅକ୍ସିଜେନ ଅଭାବ ରହିବ ନାହିଁ ଓ ସବୁ ସମୟରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ରହିବ। ବର୍ତ୍ତମାନଠାରୁ ଲୋକେ ଆରାମରେ ଅକ୍ସିଜେନ ପାଇପାରିବେ ବୋଲି ଡା. ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।