ୟେସ୍‌ ବ୍ୟାଙ୍କ ମାମଲା: ରାଣା କପୁରଙ୍କ ସ୍ତ୍ରୀ ଓ ଝିଅଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇଡିର ପଚରାଉଚୁରା

ମୁମ୍ବାଇ,ଏନ୍ଏନ୍ଏସ୍: ୟେସ୍‌ ବ୍ୟାଙ୍କ ମାମଲାରେ ବଢିବାରେ ଲାଗିଛି ପ୍ରତିଷ୍ଠାତା ରାଣା କପୁରଙ୍କ ଅଡୁଆ । ଇଡି ଗିରଫ କରି ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନିଜ ହେପାଜତକୁ ନେବା ପରେ ସିବିଆଇ ମଧ୍ୟ ଏହି ମାମଲାରେ ପୃଥକ ତଦନ୍ତ ଆରମ୍ଭ କରିଛି । ରାଣା କପୁର ଓ ଡିଏଚ୍‌ଏଫ୍‌ଏଲ୍‌ର ପ୍ରମୋଟର କପିଲ ଓ୍ଵାଧଓ୍ଵାନଙ୍କ ମଧ୍ୟରେ ରହିଥିବା ସଂପର୍କର ତଦନ୍ତ କରୁଛି ସିବିଆଇ । ଇଡି ରାଣା କପୁରଙ୍କୁ ହେପାଜତକୁ ନେଇଥିଲେ ମଧ୍ୟ ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି ।
ୟେସ୍‌ ବ୍ୟାଙ୍କର ଏଭଳି ଦେବାଳିଆ ସ୍ଥିତି ପଛରେ କଣ ରହସ୍ୟ ରହିଛି, କେଉଁ ନେତାଙ୍କର ଏଥିରେ ହାତ ଅଛି, ଏ ସଂପର୍କରେ ରାଣା କପୁରଙ୍କୁ ପଚରାଉଚରା କରାଯାଉଛି । ସେପଟେ ରାଣା କପୁରଙ୍କୁ ଗିରଫ ପରେ ବିଳମ୍ବିତ ରାତିରେ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଇଡି ପଚରାଉଚୁରା କରୁଛି । ପାଖାପାଖି ୨ ଘଣ୍ଟା ପଚରାଉଚୁରା କରିଥିବା ଜଣାପଡ଼ିଛି ।
ସେପଟେ ବିଦେଶକୁ ଛୁ ମାରିବା ବେଳେ ତାଙ୍କ ଝିଅ ରୋଶନୀ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖାଯାଇଛି । ଲଣ୍ଡନ ଯିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା । ତାଙ୍କ ବିରୋଧରେ ବି ଜାରି ହୋଇଥିଲା ଲୁକ୍‌ ଆଉଟ୍‌ ନୋଟିସ୍‌ । ରାଣା କପୁରଙ୍କ ପୁରା ପରିବାର ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହୋଇଛି । ବିନା ଅନୁମତିରେ କେହି ଦେଶ ଛାଡ଼ି ଯାଇ ପାରିବେ ନାହିଁ ।