ଆରମ୍ଭ ହେଲା ଡବ୍ଲ୍ୟୁଟିସି: ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଲେ ସିରାଜ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଲଣ୍ଡନର କେନିଙ୍ଗଟନ ଓଭାଲରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିଆନସିପ ମୁକାବିଲା ଆରମ୍ଭ ହୋଇଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ସ୍ଥିର କରିଥିଲେ । ଭାରତୀୟ ଟିମ୍ ପାଣିପାଗକୁ ଦୃଷ୍ଟିରେ ରଖି ୪ ଦ୍ରୁତ ବୋଲର ଓ ଜଣେ ସ୍ପିନରକୁ ପ୍ଲେୟିଂ ୧୧ରେ ସାମିଲ କରିଛି । ସେଥିପାଇଁ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ପ୍ଲେୟିଂ ୧୧ରେ ସ୍ଥାନ ମିଳିନାହିଁ ।

ମହମ୍ମଦ ସିରାଜ ଭାରତକୁ ପ୍ରଥମ ୱିକେଟ ଦେବାରେ ସଫଳ ହୋଇଛନ୍ତି । ଅଷ୍ଟ୍ରେଲିଆର ପ୍ରଥମ ୱିକେଟ ଆସମାନ ଖ୍ୱାଜା ରୂପେ ପଡ଼ିଛି । ୮ ଓଭର ଶେଷ ହେବାସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ୱିକେଟ ହରାଇ ୧୮ ରନ୍ କରିଛି । ଡେଭିଡ ୱାର୍ଣ୍ଣର ୧୩ ରନ୍ କରିଥିବାବେଳେ ଲାବୁସନ ୪ ରନ୍ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତର ପ୍ଲେୟିଂ ୧୧ରେ ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲୀ, ଅଜିଙ୍କ୍ୟ ରାହାଣେ, ଶ୍ରୀକର ଭରତ(ୱିକେଟକିପର), ରବିନ୍ଦ୍ର ଜାଡ଼େଜା, ଶାର୍ଦୁଲ ଠାକୁର, ଉମେଶ ଯାଦବ, ମହମ୍ମଦ ଶାଶି ଓ ମହମ୍ମଦ ସିରାଜ ।