ମହିଳା ଆଇପିଏଲ୍‌: ମୁମ୍ବାଇ ବିଜୟଧାରାରେ ବ୍ରେକ, ୫ ୱିକେଟରେ ଜିତିଲା ୟୁପି

ମୁମ୍ବାଇ,ଏଜେନ୍ସି: ମହିଳା ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ମୁମ୍ବାଇର ପ୍ରଥମ ପରାଜୟ ହୋଇଛି । ମହିଳା ଆଇପିଏଲର ୧୫ ତମ ମ୍ୟାଚରେ ୟୁପି ୱାରିୟର୍ଜ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୟୁପି ୱାରିୟର୍ଜ ମୁମ୍ବାଇ ବିଜୟ ରଥରେ ବ୍ରେକ ଲଗାଇଛି । ୫ ୱିକେଟରେ ବାଜି ମାରି ନେଇଛି ୟୁପି । ୱାରିୟର୍ଜର ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ୟୁପି ୱାରିୟର୍ଜ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ପାଳି ଆରମ୍ଭ କରିଥିଲା ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ହେଲି ମାଥ୍ୟୁସ ଓ ୟାସ୍ତିକା ଭାଟିଆ ଓପନିଂ କରିଥିଲେ । ୫ ଓଭର ପରେ ମୁମ୍ବାଇକୁ ପ୍ରଥମ ଝଟକା ଲାଗିଥିଲା । ୟାସ୍ତିକା ଭାଟିଆ ୭ ରନ କରି ୟୁପିର ଅଞ୍ଜଲି ଶ୍ରାବଣୀଙ୍କ ଶିକାର ହୋଇଥିଲେ । ଏହାପରେ ସାଇବର ବ୍ରଣ୍ଟ ୫ ରନ କରି ସଅଳ ପାଭିଲିୟର ଫେରିଥିଲେ । ସୋଫି ଏକ୍ଲେଷ୍ଟୋନ ତାଙ୍କୁ ଆଉଟ କରିଥିଲେ । ଦଳୀୟ ସ୍କୋର ୪୦ରେ ମୁମ୍ବାଇର ୨ଟି ୱିକେଟ ପତନ ହୋଇଥିଲା । ମୁମ୍ବାଇର ରନ ଗାଡି ମଧ୍ୟ ଧିମା ହୋଇଥିଲା । ହେଲି ମାଥ୍ୟୁସ ଓ ହର୍ମନପ୍ରୀତ କ୍ରିଜରେ ଉପସ୍ଥିତ ଥିଲେ । ୧୧ ତମ ଓଭରରେ ହେଲି ୩୫ ରନ କରି ସୋଫି ଏକ୍ଲେଷ୍ଟୋନଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ ମୁମ୍ବାଇର ଲଗାତାର ୱିକେଟ ପତନ ହୋଇଥିଲା ।

ରାଜେଶ୍ବରୀ ଗାଏକ୍ବାର୍ଡ ଆମେଲିଆଙ୍କୁ (୩) ଆଉଟ କରିଥିଲେ । ଦଳୀୟ ସ୍କୋର ୭୭ରେ ମୁମ୍ବାଇ ୪ଟି ୱିକେଟ ହରାଇ ସାରିଥିଲା । ଏହାପରେ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ (୨୫) ଦିପ୍ତୀ ଶର୍ମା ଆଉଟ କରିଥିଲେ । ପରେ ପରେ ହୁମାଇରା କାଜି (୪) ଆଉଟ ହୋଇଥିଲେ । ୟୁପି ୱାରିୟର୍ଜର ଶୃଙ୍ଖଳିତ ବୋଲିଂ ମୁମ୍ବାଇ ବ୍ୟାଟିଂ ଲାଇନ ଅପ ଉପରେ ରୋକ ଲଗାଇଥିଲା ଫଳରେ ବଡ ସ୍କୋର କରିବାରେ ଦଳ ବିଫଳ ହୋଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୧୨୭ ରନ କରି ଆଲ ଆଉଟ ହୋଇଥିଲା । ୟୁପି ପାଇଁ ୧୨୮ ରନ ବିଜୟ ଲକ୍ଷ୍ୟ ରହିଥିଲା । ୟୁପି ପକ୍ଷରୁ ଏକ୍ଲେଷ୍ଟୋନ ୩ଟି, ଦିପ୍ତୀ ଶର୍ମା ଓ ରାଜେଶ୍ବରୀ ଗାଏକ୍ବାର୍ଡ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଅଞ୍ଜଳି ଗୋଟିଏ ୱିକେଟ ନେଇଥିଲେ ।

୧୨୮ ରନ ବିଜୟ ଲକ୍ଷ୍ୟର ପିଛା କରି ୨୭ ରନରେ ୟୁପି ୩ଟି ୱିକେଟ ହରାଇଥିଲା । ଆରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏଲିସା ହେଲି (୮) ଓ କିରଣ ନବଗିରି (୧୧) ରନ କରି ଆଉଟ ହୋଇଥିଲେ । ମଧ୍ୟଭାଗରେ ତାହିଲା ମ୍ୟାଗ୍ରାଥ ଓ ଗ୍ରେସ ହ୍ୟାରିସ ସ୍ଥିତି ସମ୍ଭାଳିଥିଲେ । ଉଭୟ ଯଥାକ୍ରମେ ୩୮ ଓ ୩୯ ରନ କରି ବିଜୟ ମୁଳଦୁଆ ପକାଇଥିଲେ । ଦଳୀୟ ସ୍କୋର ୯୭ରେ ଦଳର ୪ଟି ୱିକେଟ ପତନ ହୋଇଥିଲା । ଦୀପ୍ତି ଶର୍ମା ୧୩ ଓ ସୋଫି ଏକ୍ଲେଷ୍ଟୋନ ୧୬ ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଦେବିକା ବୈଦ୍ୟ ୧ ରନ କରିଥିଲେ । ୟୁପି ୱାରିୟର୍ଜ ୧୯.୩ ଓଭରରେ ୫ ୱିକେଟ ହରାଇ ୧୨୯ ରନ କରି ବିଜୟୀ ହୋଇଥିଲା । ମୁମ୍ବାଇ ପକ୍ଷରୁ ଆମେଲିଆ କେର ୨ଟି, ସ୍କିଭର ବ୍ରଣ୍ଟ, ହେଲି ମ୍ୟାଥ୍ୟୁସ ଓ ଇସି ୱଙ୍ଗ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।