ହର୍ମନପ୍ରୀତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା

ମୁମ୍ବାଇ,ଏଜେନ୍ସି: ମହିଳା ଆଇପିଏଲକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଏହାରି ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ତାର ଅଧିନାୟିକା ନିଯୁକ୍ତ କରିଛି । ଭାରତୀୟ ଷ୍ଟାର ବ୍ୟାଟର ତଥା ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟିକା ଘୋଷଣା କରିଛି । ଉଦଘାଟନୀ ମ୍ୟାଚରେ ଗୁଜୁରାଟ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ମୁମ୍ବାଇ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମାର୍ଚ୍ଚ ୪ ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ ।

ହର୍ମନପ୍ରୀତ ୨୦ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ନିକଟରେ ୧୫୦ଟି ଟି-୨୦ ମ୍ୟାଚ୍‌ ଖେଳିବାରେ ଗୌରବ ଅର୍ଜନ କରିଥିଲେ । ସଦ୍ୟ ସମାପ୍ତ ଟି-୨୦ ବିଶ୍ବକପ ସେମି ଫାଇନାଲରେ ଭଲ ପ୍ରଦର୍ଶନ କରିଥିଲେ । ମାତ୍ର ସାମାନ୍ୟ ତ୍ରୁଟି ପାଇଁ ଦଳକୁ ବିଶ୍ବକପ ଫାଇନାଲରେ ପହଞ୍ଚାଇ ପାରିନଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ହର୍ମନପ୍ରୀତଙ୍କୁ ୧.୭ କୋଟି ଟଙ୍କାରେ କିଣିଥିଲା । ହର୍ମନପ୍ରୀତ ପୂର୍ବରୁ ବିଶ୍ବର ଅନ୍ୟ ମହିଳା ଲିଗ ଖେଳିବାରେ ଅଭିଜ୍ଞତା ହାସଲ କରିଛନ୍ତି ।

ଭାରତ ପାଇଁ ହର୍ମନପ୍ରୀତ ୧୫୧ଟି ଟି-୨୦ ଖେଳିଛନ୍ତି । ସେଥିରେ ୩,୦୫୮ରନ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି । ୧୦୩ ତାଙ୍କ ବେଷ୍ଟ ସ୍କୋର । ଚାର୍ଲୋଟ ଏଡୱାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ ରହିଛନ୍ତି । ପୂର୍ବରୁ ହର୍ମନପ୍ରୀତ ତାଙ୍କ ବିପକ୍ଷରେ ଖେଳିଛନ୍ତି । ଝୁଲଣ ଗୋସ୍ବାମୀ ଦଳର ବୋଲିଂ କୋଚ ଓ ପରାମର୍ଶଦାତା ରହିଛନ୍ତି ।