ପୁରୀ,ଏନ୍ଏନ୍ଏସ୍: ପୁରୀରେ ଆଜି ଛତିଶା ନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ସମୀକ୍ଷା କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଓ ଦେବାଦେବୀଙ୍କୁ ଛୁଇଁବା ପାଇଁ ବାରଣ କରାଯାଇଛି। ପୂଜାପଣ୍ଡା ସେବକମାନେ ସେବା ବେଳେ ମୁହଁରେ ମୁଖା ପିନ୍ଧିବାକୁ ଓ ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି।
ଭକ୍ତଙ୍କ ଆଖିରେ କର୍ପୂର ନଲାଗାଇବାକୁ କୁହାଯାଇଛି। ଏପ୍ରିଲ ୧୫ ଯାଏଁ ଭିତରକାଠ ପାଖରୁ ଠାକୁରଙ୍କୁ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ଜଗମୋହନ ଭିତରେ ଜନସମାଗମ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଆନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ କରାଯିବା ନେଇ ସ୍ଥିରୀକୃତ ହୋଇଛି। ଏହାସହ ପର୍ଯ୍ୟଟକ ଓ ସ୍ଥାନୀୟଲୋକଙ୍କୁ ବେଳାଭୂମିକୁ ଓ ଜନ ସମାଗମ ସ୍ଥାନକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।