ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ମୁମ୍ବାଇ,ଏଜେନ୍ସି: ଭୁଶୁଡିଲା ଗୋଦାମ । ଦୁଇ ମହଲା ବିଶିଷ୍ଟ ଗୋଦାମ ଭୁଶୁଡିବା କାରଣରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଫସି ରହିଥିବା ଜଣାପଡିଛି । ଏହାସହ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତକାଲି(ଶନିବାର) ଅପରାହ୍ନ ସମୟରେ ମହାରାଷ୍ଟ୍ର ଥାନେ ଜିଲ୍ଲାର ଭିୱଣ୍ଡିରେ ଏହି ଦୁର୍ଘଟଣା ଘଟିଛି । ତେବେ ବର୍ତ୍ତମାନ ଯାଏଁ ମଧ୍ୟ ୧୦ରୁ ୧୨ ଜଣ ଫସି ରହିଥିବା ଜଣାପଡିଛି । ଏନେଇ ସିଭିଲ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଗତକାଲି(ଶନିବାର) ପ୍ରାୟ ୧ଟା ୪୫ ମିନିଟ ସମୟରେ ମନକୋଲି ଭାଲପଡା ବର୍ଦ୍ଧମାନ ଅଞ୍ଚଳରେ ରହିଥିବା ଏକ ଗୋଦାମ ଭୁଶୁଡି ଯାଇଥିଲା । ଭୁଶୁଡିବା ସମୟରେ ତଳ ମହଲାରେ ମୁଲିଆମାନେ କାମ କରୁଥିବା ବେଳେ ଉପର ମହଲାରେ ୪ଜଣ ପରିବାର ରହିଥିଲେ । ଏନେଇ ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟ ଅଭିନାଶ ସାଓ୍ବନ୍ତ ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଥିବା ସୂଚନା ଦିଆଯାଇଛି । ତେବେ ଖବର ମିଳିବା ବେଳକୁ ୧୦ ରୁ ୧୨ଜଣ ଫସିରହିଥିବା ନେଇ ସୂଚନା ମିଳିଥିଲା ।

ଆଞ୍ଚଳିକ ବିପର୍ଯ୍ୟୟ ପରିଚାଳନା ସେଲ୍ ମୁଖ୍ୟଙ୍କ କହିବା ଅନୁସାରେ, “ଜଣେ ୪୦ବର୍ଷୀୟ ଯୁବକ ଏବଂ ୨୬ ବର୍ଷୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ୧୦ରୁ ୧୨ଜଣ କୋଠା ତଳେ ଚାପି ହୋଇ ରହିଛନ୍ତି ।”