ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିପଦରେ ବିଶ୍ୱ ଅର୍ଥନୀତି: ଆଇଏମ୍‌ଏଫ୍

ନୂଆଦିଲ୍ଲୀ,ଏଜେନ୍ସି: ରୁଷ୍ ଦ୍ୱାରା ୟୁକ୍ରେନ୍ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ସମେତ ୟୁରୋପୀୟ ୟୁନିୟନ୍ ରୁଷ୍ ଉପରେ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରିଛନ୍ତି। ଏହି କଟକଣା ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ବୋଲି ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଚେତାବନୀ ଦେଇଛି। ସ୍ଥିତି ଗମ୍ଭୀର ରହିବା ସହିତ ଆର୍ଥିକ ଗତିବିଧିରେ ଅନିଶ୍ଚିତତା ଜାରିରହିଛି। ଖାଦ୍ୟସାମଗ୍ରୀର ଦର ନିକଟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ମୁଦ୍ରାସ୍ଫୀତିର ଚାପରେ ନିୟାମକମାନେ ମଧ୍ୟ ଚାପରେ ରହିଛନ୍ତି। ଦରବୃଦ୍ଧି ଯୋଗୁଁ ଗରିବମାନେ ପରିବାର ପ୍ରତିପୋଷଣ ପାଇଁ ଅଥୟ କଷ୍ଟ ଭୋଗୁଛନ୍ତି। ଯଦି ଯୁଦ୍ଧ ଅଧିକ ଦିନ ପର୍ଯ୍ୟନ୍ତ ଜାରିରହେ; ତେବେ ବୈଶ୍ୱିକ ଅର୍ଥନୀତି ପ୍ରତି ବିପଦ ଅଧିକ ଘନୀଭୂତ ହେବ ବୋଲି ଆଇଏମ୍‌ଏଫ୍ ଏକ ବିବୃତି ଜାରି କରି ସୂଚନା ଦେଇଛି।

କୃଷ୍ଣସାଗର ଅଞ୍ଚଳ ୟୁରୋପ୍‌ର ବ୍ରେଡ୍‌ବାସ୍କେଟ୍ ଭାବେ ପରିଚିତ। ଯୁଦ୍ଧ ପରିପ୍ରେକ୍ଷୀରେ ୟୁରୋପ୍‌କୁ ଏହି ଅଞ୍ଚଳରେ ଯୋଗାଣ ଭୟଙ୍କର ଭାବେ ପ୍ରଭାବିତ ହେବ। ଯୁଦ୍ଧ ଯୋଗୁଁ ୟୁକ୍ରେନ୍ ତଥା ଆଖପାଖ ଅଞ୍ଚଳରେ କୃଷି ଧ୍ୱଂସ ପାଇଛି। ବନ୍ଦର ବନ୍ଦ କରିଦିଆଯାଇଛି। ବ୍ରେଡ୍‌, ନୁଡୁଲ୍ସ ତଥା ପଶୁଖାଦ୍ୟର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଗହମ ଦର ପାଖାପାଖି ୫୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଇଜିପ୍ଟ ତଥା ଲେବାନାନ୍ ଆଦି ଦେଶରେ ଲୋକମାନେ ବ୍ରେଡ୍ ଉପରେ ଅଧିକ ନିର୍ଭରଶୀଳ। ରୁଷ୍ ଓ ୟକ୍ରେନ୍ ସାରା ବିଶ୍ୱକୁ ଏକତୃତୀୟାଂଶ ଗହମ ଯୋଗାଇ ଦେଇଥାନ୍ତି।

ଏହାବ୍ୟତୀତ ୟୁକ୍ରେନ୍ କର୍ନ ଓ ସୂର୍ଯ୍ୟମୂଖୀ ତେଲର ବଡ଼ ଉତ୍ପାଦକ। ଇଜିପ୍‌ଟବାସୀ ସାଧାରଣତଃ ସରକାରୀ ରିହାତି ଉପରେ ଅଧିକ ନିର୍ଭରଶୀଳ। ଯୁଦ୍ଧ ପରିପ୍ରେକ୍ଷୀରେ ସରକାର ରିହାତି ବନ୍ଦ କରିପାରନ୍ତି। ଆଫ୍ରିକାନ୍ ଦେଶଗୁଡ଼ିକ ଅଧିକ ପରିମାଣରେ ରୁଷ୍‌ରୁ ଗହମ ଆମଦାନୀ କରିଥାନ୍ତି। ଯାହା ଯୁଦ୍ଧ ଯୋଗୁଁ ସମ୍ପ୍ରତି ସମ୍ପୂର୍ଣ୍ଣ ବନ୍ଦ ରହିଛି। ସମଗ୍ର ବିଶ୍ୱକୁ ୟୁକ୍ରେନ୍‌-ରୁଷ୍ ସୂର୍ଯ୍ୟମୁଖୀ ତେଲ, ଗହମ ଓ ଅନ୍ୟାନ୍ୟ ଖାଇବାତେଲ ଯୋଗାଣରେ ସିଂହଭାଗ ରହିଛି। ଏହି ସବୁ ଯୋଗାଣ ପ୍ରଭାବିତ ହେଲେ ବିଶ୍ୱରେ ଦରବୃଦ୍ଧି ଘଟିବା ଥୟ ବୋଲି କୁହାଯାଉଛି।