ଭାରତକୁ ୧ ବିଲିୟନ ଡଲାର ପ୍ୟାକେଜ ଘୋଷଣା କରିଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋରୋନା ସଙ୍କଟ ଜାରି ରହିଥିବା ବେଳେ ଆଜି ଭାରତ ସରକାରଙ୍କୁ ସହଯୋଗର ହାତ ବଢ଼େଇଛି ବିଶ୍ୱ ବ୍ୟାଙ୍କ। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ବିଶ୍ୱ ବ୍ୟାଙ୍କ ଆଜି ଏକ ବିଲିୟନ ଡଲାର ର ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ୍ ଏକ ସାମାଜିକ ସୁରକ୍ଷା ପ୍ୟାକେଜ୍ ହେବ। ଏହା ପୂର୍ବରୁ କୋରୋନା ସହିତ ଯୁଦ୍ଧ ପାଇଁ ବ୍ରିକ୍ସ ଦେଶର ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଏକ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ଘୋଷଣା କରିଥିଲା।

ବିଶ୍ୱ ବ୍ୟାଙ୍କର ଏହି ଏକ ବିଲିୟନ ଡଲାର ଅର୍ଥ (ପ୍ରାୟ ୭୬୦୦ କୋଟି) ସାମାଜିକ ସୁରକ୍ଷା ପ୍ୟାକେଜ ବୋଲି କୁହାଯାଇଛି। ଏହି ଅର୍ଥ ଦେଶରେ କରୋନା ସଂକ୍ରମଣ ରୋଗୀଙ୍କ ଉନ୍ନତ ସ୍କ୍ରିନିଂ, ପରୀକ୍ଷା, କୋଭିଡ -୧୯ ହସ୍ପିଟାଲ ଏବଂ ଲ୍ୟାବ ପାଇଁ ଖର୍ଚ୍ଚ ହୋଇପାରିବ।

୨୫ ବିକାଶଶୀଳ ଦେଶକୁ ବିଶ୍ୱ ବ୍ୟାଙ୍କ ପ୍ୟାକେଜ୍ ଦେବ ବୋଲି ପ୍ରସ୍ତାବ ପାରିତ କରି ଥିଲା। ବିଶ୍ୱ ବ୍ୟାଙ୍କ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଭଳି ତିନୋଟି କ୍ଷେତ୍ରରେ ଅଂଶୀଦାର ହେବ ବୋଲି ବିଶ୍ୱ ବ୍ୟାଙ୍କ ନିର୍ଦ୍ଦେଶକ ଜୁନାଦ ଅହମ୍ମଦ କହିଛନ୍ତି।

ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମଧ୍ୟ ଭାରତକୁ କରୋନା ସହାୟତା ପାଇଁ ୧.୫ ବିଲିୟନ ଡଲାର ପ୍ୟାକେଜ ଘୋଷଣା କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା କୋଭିଡ-୧୯ ର ପ୍ରସାରକୁ ରୋକିବା ଏବଂ କରୋନୋ ସଙ୍କଟ ରେ ଦେଶର ସାମାଜିକ ତଥା ଆର୍ଥିକ କ୍ଷତି ହ୍ରାସ କରିବା ।

ଦେଶରେ କରୋନା ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁସାରେ ଦେଶରେ ମୋଟ କରୋନା ସଂକ୍ରମଣ ପ୍ରାୟ ୮୨ ହଜାରରେ ପହଞ୍ଚିଛି। ମୋଟ ମୃତ୍ୟୁ ସଂଖ୍ୟା ୨୬୫୦ ରେ ପହଞ୍ଚିଛି ଏବଂ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା ୨୭ ହଜାରରୁ ଅଧିକ ରହିଛି।