ସାମ୍ବାଦିକମାନଙ୍କ ପାଇଁ “ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍‌, ଓଡ଼ିଶା ତରଫରୁ ଆଜି ସ୍ଥାନୀୟ ହୋଟେଲ କ୍ରାଉନ ଆନୁକୂଲ୍ୟରେ ସାମ୍ବାଦିକମାନଙ୍କ ପାଇଁ “ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋର୍ଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା।

କର୍ମଶାଳାର ଆରମ୍ଭରେ ୟୁନିସେଫ୍ ଓଡ଼ିଶାର ଯୋଗାଯୋଗ ତଥା ଆଡ଼ଭୋକାସୀ ବିଶେଷଜ୍ଞ ଶ୍ରୀମତୀ ରାଧିକା ଶ୍ରୀବାସ୍ତବ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଆଜିର ପ୍ରସଙ୍ଗକୁ ଉପସ୍ଥାପିତ କରିଥିଲେ। ୟୁନିସେଫ୍ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡ଼ଃ. ମୋନିକା ନିଲସନ ମଧ୍ୟ ଗଣମାଧ୍ୟମକୁ ସମ୍ବୋଧିତ କରି ଲିଙ୍ଗଗତ ସମାନତା ଉପରେ ୟୁନିସେଫ୍‌ର ପ୍ରତିବଦ୍ଧତା ବିଷୟରେ କହିଥିଲେ। ୟୁନିସେଫ୍ ନୂଆଦିଲ୍ଲୀର ଲିଙ୍ଗଗତ ବିଶେଷଜ୍ଞ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ପ୍ରମୁଖ ବାର୍ତ୍ତା ପ୍ରଦାନ କରିଥିଲେ। ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ବରିଷ୍ଠ ଖବର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ରାୟ ସମଗ୍ର କର୍ମଶାଳାକୁ ପରିଚାଳନା କରିଥିଲେ।

ସାମ୍ବାଦିକ/ସମ୍ବାଦିକାମାନେ ଏହି କର୍ମଶାଳାକୁ କ’ଣ ଆଶା କରନ୍ତି ସେହି ସମ୍ପର୍କିତ ଅନୌପଚାରିକ ଆଲୋଚନାରୁ କର୍ମଶାଳା ଆରମ୍ଭ ହୋଇଥିଲା। ଏହି କର୍ମଶାଳାରେ ଉପସ୍ଥାପିତ ବୈଶ୍ୱିକ ତଥ୍ୟ ଆଧାରରେ ଗଣମାଧ୍ୟମରେ କେବଳ ୨୩ ପ୍ରତିଶତ ବିଷୟବସ୍ତୁ ମହିଳାଙ୍କ ସହ ଜଡ଼ିତ ଥିବାବେଳେ ଅଧାରୁ କମ୍ କାହାଣୀ ମହିଳାମାନଙ୍କ ଦ୍ୱାରା ରିପୋର୍ଟ୍ କରାଯାଇଥିଲା। ତଥ୍ୟ ଅନୁଯାୟୀ କେବଳ ୧୯ ପ୍ରତିଶତ ମହିଳାଙ୍କୁ ମୁଖପାତ୍ର ଭାବରେ ସ୍ଥାନିତ କରାଯାଇଥିଲା।

ସାମ୍ବାଦିକମାନେ କିପରି ସେମାନଙ୍କର କାହାଣୀକୁ ଅଧିକ ଲିଙ୍ଗଗତ ସମ୍ବେଦନଶୀଳ କରିପାରିବେ, ସାମାଜିକ ପ୍ରତିବନ୍ଧକକୁ ପ୍ରତିହତ କରି କିପରି ମହିଳାମାନଙ୍କ ସ୍ୱର ସମାନ ଭାବରେ ଶୁଣାଯିବ ତାହା ସମ୍ବନ୍ଧୀୟ ଟିପ୍ସ ଥିବା ଏକ ଚେକ୍‌ଲିଷ୍ଟ୍ ଏହି କର୍ମଶାଳାରେ ସମ୍ବାଦିକମାନଙ୍କୁ ପ୍ରଦାନ କରାଯାଇଥିଲା। ବିଜ୍ଞାପନ, ପ୍ରକାଶନ, ଲେଖା, ଚିତ୍ର ଇତ୍ୟାଦି ମାଧ୍ୟମରେ ମହିଳାଙ୍କର ଅଶ୍ଳୀଳ ଚିତ୍ରକୁ ବାରଣ କରିବାକୁ ଆଇନ ଯେପରିକି ମହିଳାମାନଙ୍କର ଅଶ୍ଳୀଳ ଉପସ୍ଥାପନା (ନିଷେଧ) ଅଧିନିୟମ, ୧୯୮୬ ବିଦ୍ୟମାନ ଅଛି।

ଆହୁରି ମଧ୍ୟ ଏହି ଚେକ୍‌ଲିଷ୍ଟ୍‌ରେ ମହିଳାମାନଙ୍କ ଉପରେ ହୋଇଥିବା ଅପରାଧ ସମ୍ପର୍କିତ ରିପୋର୍ଟିଂ କରିବା ସମୟରେ ଆବଶ୍ୟକୀୟ ଲିଙ୍ଗଗତ ସମ୍ବେଦନଶୀଳତା ପଦ୍ଧତିକୁ ଅନ୍ତର୍ଭୂକ୍ତ କରାଯିବା ସହିତ ଅପରାଧରୁ ରକ୍ଷା ପାଇଯାଇଥିବା ବ୍ୟକ୍ତିଙ୍କ ଉପରେ ଧ୍ୟାନ ପ୍ରଦାନ ସ୍ୱରୂପ ଏହି ପ୍ରସଙ୍ଗରେ ଲେଖିବା ନିମନ୍ତେ ଅନୁସନ୍ଧାନମୂଳକ କାହାଣୀ ପ୍ରକାଶନ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଅଂଶଗ୍ରହଣକାରୀମାନେ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ରିପୋର୍ଟିଂ କରିବା ସମୟରେ ନିଜର କର୍ମକ୍ଷେତ୍ର ଏବଂ ବାହ୍ୟ ପରିବେଶରେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ବାଧାବିଘ୍ନ ସମ୍ପର୍କରେ ଆଲୋଚନା ହୋଇଥିଲା, ବିଶେଷକରି ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ଅଧିକାର ପ୍ରଦାନ କରାଯାଇନଥାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

ଗଣମାଧ୍ୟମକୁ ସମ୍ବୋଧିତ କରିବା ଅବସରରେ ୟୁନିସେଫ୍ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡ଼ଃ. ମୋନିକା ନିଲସନ କହିଥିଲେ, “ସମସ୍ତ ଶିଶୁଙ୍କ ଅଧିକାରକୁ ବଜାୟ ରଖିବା ପାଇଁ ୟୁନିସେଫ୍‌ର ଜନାଦେଶକୁ ହୃଦୟଙ୍ଗମ କରିବା ନିମନ୍ତେ ଲିଙ୍ଗଗତ ସମାନତା ଜରୁରୀ ଅଟେ। ଲିଙ୍ଗଗତ ପକ୍ଷପାତିତା ଉଭୟ ପୁଅ ଏବଂ ଝିଅଙ୍କର କ୍ଷତି ସାଧନ କରିଥାଏ। ବାଲ୍ୟବିବାହ, ଶୋଷଣ, ଶିଶୁ ଶ୍ରମିକ ପରି କୁପ୍ରଥା ଅନେକ ସମୟରେ ଲିଙ୍ଗଗତ ପକ୍ଷପାତିତା ଯୋଗୁଁ ପ୍ରଦର୍ଶିତ ଆଚରଣ ଏବଂ ଅଭ୍ୟାସର ଫଳାଫଳ। ବର୍ତ୍ତମାନ ଆମେ ମହାମାରୀରୁ ସମ୍ୟକ ମୁକ୍ତି ପାଇଥିବାରୁ, ଲିଙ୍ଗଗତ ସମାନତା ଉପରେ ଆଲୋଚନା କରିବା, ଭିନ୍ନ ଲିଙ୍ଗ ମଧ୍ୟରେ ସମ୍ପର୍କର ଶକ୍ତିକୁ ନିବିଡ଼ କରିବା, ଭେଦଭାବପୂର୍ଣ୍ଣ ନୀତି ଏବଂ ଲିଙ୍ଗଗତ ପ୍ରତିବନ୍ଧକକୁ ସମାଧାନ କରିବା ପାଇଁ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମୟ।”

ଲିଙ୍ଗଗତ ବିଷୟ ଉପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଶ୍ରୀମତୀ ଶ୍ରୀବାସ୍ତବ କହିଥିଲେ, “ବ୍ୟକ୍ତିର ମାନସିକତା ଏବଂ ଧାରଣାକୁ ପରିବର୍ତ୍ତନ କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଲିଙ୍ଗଗତ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରୁଥିବା ଗଣମାଧ୍ୟମ ଏହାର ବହୁଳ ପ୍ରସାର କରିପାରିବା ସହିତ ଆମ ସମାଜରେ ପ୍ରଚଳିତ ପିତୃପୁରୁଷ ପ୍ରଥାକୁ ଆହ୍ୱାନ କରିପାରିବ।”

ଆହୁରି ମଧ୍ୟ ସେ ଗଣମାଧ୍ୟମଗୁଡ଼ିକୁ ମହିଳାମାନଙ୍କର ସମାନ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ସମୟରେ ମହିଳା ପ୍ରତିନିଧି ଏବଂ ମହିଳାଙ୍କ ଦୃଷ୍ଟିକୋଣକୁ ସମର୍ଥନ କରୁଥିବା ଉତ୍ସଗୁଡ଼ିକୁ ଅନ୍ତର୍ଭୂକ୍ତ କରିବା ନିମନ୍ତେ ଅନୁରୋଧ କରିଥିଲେ। ଜଣେ ମହିଳାଙ୍କ ଦୃଷ୍ଟିକୋଣରୁ ଏକ ସମସ୍ୟାକୁ ଅନୁସନ୍ଧାନ କରିବା ଏବଂ ଏହାଦ୍ୱାରା ମହିଳାମାନେ କିପରି ଭାବରେ ପ୍ରଭାବିତ ହୁଅନ୍ତି ସେ ବିଷୟରେ ରିପୋର୍ଟ୍ କରିବା ଜରୁରୀ ବୋଲି କହିଥିଲେ। ବିପର୍ଯ୍ୟୟ ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହା ଓଡ଼ିଶା ଅନେକ ସମୟରେ ସାମ୍ନା କରିଥାଏ ବୋଲି ମଧ୍ୟ ସେ କହିଥିଲେ।

ଲିଙ୍ଗଗତ ସମାନତାର ବିଭିନ୍ନ ପର୍ଯ୍ୟାୟକୁ ଶ୍ରୀମତୀ ଦାସ ବର୍ଣ୍ଣନା କରିଥିଲେ। ସେ କହିଥିଲେ, “ଖବର ପ୍ରକାଶନର ନିଷ୍ପତ୍ତି ନେଉଥିବା ସମ୍ପାଦକୀୟ ବିଭାଗଠାରୁ ଆରମ୍ଭ କରି ଖବର ଏକାଠି ହୋଇ ରହୁଥିବା ସ୍ଥାନ, ହେଡ଼ଲାଇନ ଓ ଭକ୍ଟକ୍ସରଆଲ ସହିତ କାହାଣୀର ଅନ୍ତିମ ପ୍ରକାଶନ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଉଥିବା ସ୍ଥାନ ପର୍ଯ୍ୟନ୍ତ ସମ୍ବାଦ ପ୍ରସ୍ତୁତିର ସମସ୍ତ ସ୍ତରରେ ଲିଙ୍ଗଗତ ସମାନତାକୁ ବିଚାର କରାଯିବାର ଆବଶ୍ୟକତା ରହିଛି। ଲିଙ୍ଗଗତ ସମାନ ସମାଜ ସୃଷ୍ଟି କରିବା ଆମର ଲକ୍ଷ୍ୟ ଏବଂ ଗଣମାଧ୍ୟମ ଏହି କ୍ଷେତ୍ରରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ।

ଚରିତ୍ର ଗଠନ ସର୍ବଦା ଘରୁ ହିଁ ଆରମ୍ଭ ହୋଇଥାଏ। ତେଣୁ ଏକ ଗଣମାଧ୍ୟମ ସଂସ୍ଥା ଭାବରେ ଲିଙ୍ଗଗତ ସମ୍ବେଦନଶୀଳତା ରିପୋର୍ଟିଂର ପ୍ରଭାବ ଉପରେ ସମସ୍ତଙ୍କୁ ଅତ୍ୟନ୍ତ ଧ୍ୟାନ ଦେବା ଆବଶ୍ୟକ। ଗଣମାଧ୍ୟମ ସଂସ୍ଥାଗୁଡ଼ିକ କେବଳ ପ୍ରସିଦ୍ଧି ଏବଂ ଅଧିକ ଅର୍ଜିତ ଟିଆର୍‌ପି ପାଇଁ ଏପରି କିଛଇ ଉଚିତ୍ ନୁହେଁ ବୋଲି ମଧ୍ୟ ସେ କହିଥିଲେ।”

କର୍ମଶାଳାରେ ଉପସ୍ଥିତ ସାମ୍ବାଦିକ/ ସାମ୍ବାଦିକାମାନଙ୍କ ମଧ୍ୟରେ ଏକ ଗୋଷ୍ଠୀ କାର୍ଯ୍ୟକଳାପର ଆୟୋଜନ କରାଯାଇଥିଲା। କାର୍ଯ୍ୟରତ ସାମ୍ବାଦିକ/ ସାମ୍ବାଦିକାମାନେ ଲିଙ୍ଗଗତ ପକ୍ଷପାତିତାର ରିପୋର୍ଟିଂ ଏବଂ ଲେଖବା ସମୟରେ ସାମ୍ନା କରୁଥିବା ଆହ୍ୱାନ ଏବଂ ଏହା ଉପରେ ସେମାନଙ୍କର ଚିନ୍ତାଧାରାକୁ ପରିପ୍ରକାଶ କରିଥିଲେ। ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ସହିତ ସମ୍ମାନୀତ କରାଯାଇଥିଲା।