ଛାତରୁ ପଡ଼ି ଶ୍ରମିକ ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: କୁଣ୍ଢେଇଗୋଳା ଥାନା କୁରଡ଼ପଶି ଗ୍ରାମରେ ଘର ଛାତ ସେନ୍ଟ୍ରିଙ୍ଗ ବେଳେ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଜିଲ୍ଲା କଟାଖାଲୀ ଗ୍ରାମର ଅଶିକ ଉଲ ସେକର । ମିଳିଥିବା ରିପୋର୍ଟ ମୁତାବକ, କୁରଡ଼ପୋଷି ଗ୍ରାମର ନବୀନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ କୋଠା ଘର ନିର୍ମାଣ ବେଳେ ଅପରାହ୍ନରେ କାର୍ଯ୍ୟରତ ଶ୍ରମିକ ଅଶିକଙ୍କ ଗୋଡ଼ ଖସିଯିବାରୁ ତଳେ ପଡ଼ି ଗୁରୁତର ହୋଇଥିଲେ । ଅନ୍ୟ ଶ୍ରମିକମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତୁରନ୍ତ ଛତାବର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଆସନ୍ତାକାଲି ଶବ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।