ପାଟଣା ରେଞ୍ଜ ଅଞ୍ଚଳରେ କାଠ ମାଫିଆ ସକ୍ରିୟ, ଦିନ ଦି’ପହରରେ କାଟୁଛନ୍ତି ଗଛ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳରେ ଏବେ କାଠ ମାଫିଆ ସକ୍ରିୟ ହୋଇପଡିଛନ୍ତି। ମାଫିଆଙ୍କ ସହିତ ବନବିଭାଗ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାଠ ଚୋରାଚାଲାଣ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। କିଛି ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ସାହାରପଡା ସେକ୍ସନ ଅଞ୍ଚଳରୁ ଅନେକ ମୂଲ୍ୟବାନ କାଠ ଜବତ କରାଯାଇଥିବା ବେଳେ ଉଦୟପୁର ବିଟ୍ ବିଲା ଛକ ନିକଟରେ ଏକ ନମ୍ବର ବିହୀନ ଟେମ୍ପୁକୁ ବନ ବିଭାଗ ଜବତ କରିଥିଲା । ହେଲେ ଘଟଣାସ୍ଥଳରୁ କାଠ ମାଫିଆ ଫେରାର ହୋଇଯାଇଥିଲା। ପୁଣି ଗୁରୁବାର ଅପରାହ୍ନରେ ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅନ୍ତର୍ଗତ ଖିଡିକାପଦା ପଞ୍ଚାୟତ ଗୋହିରା ହୁଡ଼ିରୁ ମାଫିଆମାନେ ବେଧଡ଼କ ଭାବରେ ମୂଲ୍ୟବାନ ଶାଳ ଗଛ କାଟି ଚୋରା ଚାଲାଣ କରୁଥିବାବେଳେ ବନ ବିଭାଗ କୌଣସି ସୂତ୍ର ରୁ ଖବର ପାଇ ଚଢ଼ଉ କରିଥିଲା। ବନବିଭାଗ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ୧୬ ଖଣ୍ଡ ଶାଳ ଗଛ ବନ ବିଭାଗ ଜବତ କରିଛି । ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବେ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି । ଫରେଷ୍ଟଗାର୍ଡଙ୍କ ଅପାରଗତା ଯୋଗୁଁ ମାଫିଆମାନେ ନିର୍ଭୟରେ ଚୋରାରେ କାଠ ଚାଲାଣ କରୁଥିବା ଆଲୋଚନା ହେଉଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେଇ ଅସାଧୁ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବେଶ ବିତ୍ ଦାବି କରିଛନ୍ତି।