ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଅଧିନସ୍ଥ କଳିଙ୍ଗାଠାରୁ ୫କିମି ଏକ ବୁଲାଣି ରାସ୍ତାରେ ଏକ କାଠ ପଟ୍ଟା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ସୌଭାଗ୍ୟବଶତଃ ଉଭୟ ଟ୍ରକର ଚାଳକ ସୁରକ୍ଷିତ ଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ବୁଧବାର ଭୋର ପ୍ରାୟ ୩ଟା ସମୟରେ ଗୁଜରାଟରୁ ବାଲିଶିରା ଆସୁଥିବା ଏକ କାଠ ପଟ୍ଟା ବୋଝେଇ ଟ୍ରକ ଯାଉଥିବାବେଳେ ପଛ ପଟୁ ଆଉ ଏକ କାଠ ପଟ୍ଟା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଜି.ଉଦୟଗିରି ପୁଲିସ ଓ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ପହଞ୍ଚି ଘଟଣାର ତଦନ୍ତ କରୁଥିବାବେଳେ ଘଟଣାଟି ମୁଜାଗଡ଼ ବାନାଞ୍ଚଳ ଅନ୍ତର୍ଗତ ହୋଇଥିବାରୁ କଳିଙ୍ଗା ବନପାଳ ରଶ୍ମିତା ବକ୍ସି ସେଠିକାର ବନରକ୍ଷୀଙ୍କୁ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି ।