ପ୍ରଥମ ମହିଳା ଦିନିକିଆ: ପ୍ରଥମ ମ୍ୟାଚ୍‌ରେ ଭାରତ ୬୨ ରନ୍‌ରେ ପରାସ୍ତ

କ୍ୱିନ୍ସଲାଣ୍ଡ,ଏଜେନ୍ସି: ସୁଜି ବେଟ୍ସଙ୍କ ଶତକ (୧୦୬) ଏବଂ ଜେସ୍ କେର୍‌ଙ୍କ ୪ ୱିକେଟ୍ ବଳରେ ସ୍ଥାନୀୟ ଜନ୍ ଡେଭିସ୍ ଓଭାଲ୍‌ରେ ଶନିବାର ଆରମ୍ଭ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମହିଳା ଟିମ୍ ୬୨ ରନ୍‌ରେ ଭାରତୀୟ ମହିଳା ଟିମ୍‌କୁ ହରାଇ ଦେଇଛି। ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ବେଟ୍ସଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଟସ୍ ହାରି ନ୍ୟୁଜିଲାଣ୍ଡ ପ୍ରଥମେ ୪୮.୧ ଓଭର୍‌ରେ ୨୭୫ ରନ୍ କରିଥିବା ବେଳେ ଜବାବରେ ଭାରତ ୪୯.୩ ଓଭର୍‌ରେ ୨୧୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

୨୭୬ ରନ୍‌ର ପିଛା କରୁଥିବା ଭାରତ ୧୭ ରନ୍‌ରେ ଦୁଇ ଓପ୍ନର୍ ସାବ୍‌ଭିନେନି ମେଘନା (୪) ଓ ଶେଫାଳୀ ବର୍ମା (୧୨)ଙ୍କୁ ହରାଇଥିଲା। ତେବେ ୟାସ୍ତିକା ଭାଟିଆ (୪୧) ଓ କ୍ୟାପ୍‌ଟେନ୍ ମିତାଲି ରାଜ (୫୯) ତୃତୀୟ ୱିକେଟ୍ ପାଇଁ ୮୮ ରନ୍ ଯୋଗ କରିଥିଲେ। ତେବେ ଏହି ଦୁଇଜଣଙ୍କ ଆଉଟ୍ ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା ଏବଂ ପୂରା ଟିମ୍ ୪୯.୩ ଓଭର୍‌ରେ ମାତ୍ର ୨୧୩ ରନ୍ ମଧ୍ୟରେ ସୀମିତ ହୋଇଯାଇଥିଲା। ମିତାଲିଙ୍କ ୭୩ ବଲ୍‌ର ଇନିଂସ୍‌ରେ ୬ଟି ଚୌକା ସାମିଲ ଥିବାବେଳେ ୟାସ୍ତିକା ୬୩ ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ଲଗାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ୍ କୌାର୍ ୧୦, ରିଚା ଘୋଷ ୨୨, ଦୀପ୍ତି ଶର୍ମା ୧୬, ପୂଜା ବସ୍ତ୍ରାକାର ୨୩ ଓ ଝୁଲନ୍ ଗୋସ୍ୱାମୀ ୧୩ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜେସ୍ କେର୍ ୩୫ ରନ୍‌ରେ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ହେଲେ ଜେନ୍‌ସନ୍‌ଙ୍କୁ ୨ଟି ୱିକେଟ୍ ମିଳିଥିଲା।

ଟସ୍ ହାରି ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ ସୁଜି ବେଟ୍ସଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ନିକଟରେ ୨୭୬ ରନ୍‌ର ଲକ୍ଷ୍ୟ ଛିଡ଼ା କରିଥିଲା। ବେଟ୍ସ ୧୧୧ ବଲ୍‌ରେ ୧୦ ଚୌକା ସହାୟତାରେ ୧୦୬ ରନ୍‌ର ଶତକୀୟ ଇନିଂସ୍ ଖେଳିଥିଲେ। ଏହା ତାଙ୍କ କ୍ୟାରିୟର୍‌ର ୧୧ଶ ଶତକ।

ସେହିପରି ମ୍ୟାଡି ଗ୍ରୀନ୍ (୧୭)ଙ୍କ ସହ ସେ ପ୍ରଥମ ୱିକେଟ୍ ପାଇଁ ୫୪ ରନ୍‌, ଆମେଲି କେର୍ (୩୩)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୪୨ ରନ୍ ଏବଂ ସାଟ୍ଟର୍ଥୱେଟ୍ (୬୩)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୮୨ ରନ୍ ଯୋଗ କରିଥିଲେ। ତେବେ ତାଙ୍କ ଆଉଟ୍ ପରେ କ୍ୟାପ୍‌ଟେନ୍ ଡିଭାଇନ୍ (୧୩)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟର୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଭାରତ ପକ୍ଷରୁ ଝୁଲନ୍ ଗୋସ୍ୱାମୀ, ପୂଜା ବସ୍ତ୍ରାକାର, ରାଜେଶ୍ୱରୀ ଗାଏକ୍‌ୱାଡ୍ ଓ ଦୀପ୍ତି ଶର୍ମା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।