ଗୋଛାପଡା/ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡେରାକୁମ୍ଫା ଗାଁ ନିକଟରେ ଥିବା ଏକ ନାଳରୁ ଜଣେ ବିବାହିତ ମହିଳାଙ୍କ ଉଲଗ୍ନ ଗଳିତ ଶବ ମିଳିବା ଘଟଣାରେ ଗୋଛାପଡା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦ ତାରିଖ ଦିନ ମୃତ ମହିଳାଙ୍କ ଶବକୁ ପୁଲିସ ଜବତ କରିବା ପରେ ମହିଳା ଜଣକ ଗୋଛାପଡା ଥାନା ସରୁପଡା ଗାଁ’ର ଭାସ୍କର କହଁରଙ୍କ ସ୍ତ୍ରୀ ମାମଦେଇ କହଁର ବୋଲି ଜଣାପଡିଥିଲା। ଏହିଘାଟଣାକୁ ନେଇ ମୃତ ମହିଳାଙ୍କ ବାପା ବାଲାନ୍ଦାପଡା ପଞ୍ଚାୟତ ବାଉପାଙ୍ଗା ଗାଁ’ର ଜାକି କହଁର ତାଙ୍କ ଝିଅକୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଏତଲା ଆଧାରରେ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ୧୦୩/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ।
ଗତ ୨୦ ତାରିଖ ଠାରୁ ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରାଖି ପଚରା ଉଚୁରା ଜାରି ରଖିଥିଲା। ପୁଲିସର ସୂଚନା ଅନୁସାରେ ଦୀର୍ଘ ଦିନ ଧରି ମୃତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ କଳହ ଲାଗିରହିଥିଲା। ଗତ ୨୦ ତାରିଖ ଦିନ ଘରେ କେହି ନଥିବା ସମୟରେ ଅଭିଯୁକ୍ତ ସ୍ୱାମୀ ତାର ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ନାଳରେ ଫିଙ୍ଗି ଦେଇଥିଲା। ତବେ ଏହି ଘଟଣାକୁ ଅଭିଯୁକ୍ତ ଜଣକ ସ୍ୱିକାର କରିଥିବା ବେଳେ ମଙ୍ଗଳବାର ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଭାସ୍କର କହଁରକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।