ସିଆରପିଏଫ୍ ବଙ୍କର ଉପରେ ବୋମା ପକାଇଥିବା ମହିଳା ଗିରଫ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ସୋପୋରରେ ସିଆରପିଏଫର ବଙ୍କର ଉପରେ ପେଟ୍ରୋଲ ବୋମା ପକାଇ ଆକ୍ରମଣ କରିଥିବା ମହିଳାଙ୍କୁ ଗିରଫ କରାଯାଇଛି । ଏନେଇ ପୁଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଆକ୍ରମଣର କିଛି ଘଣ୍ଟା ପରେ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ପରେ ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲେ ।

ସୂଚନାଯୋଗ୍ୟ, ମହିଳା ଜଣକ ହେଉଛନ୍ତି ବାରାମୂଳା ନିବାସୀ ହସୀନା ଅଖତର । ଅଭିଯୁକ୍ତ ମହିଳା ପ୍ରତିବନ୍ଧିତ ଅଲଗାବବାଦୀ ସମୂହ ଦୁକ୍ଷାତରନ-ଏ-ମିଲନ ସହ ଜଡ଼ିତ । ୩୮ ବର୍ଷୀୟା ଅଖତର ୨୦୨୧ରେ ଉତ୍ତର କଶ୍ମୀରର ହନ୍ଦବାଡ଼ା ଲସ୍କର-ଏ-ତୈୟବା ଆତଙ୍କବାଦୀ ସମୂହର ପୋଷ୍ଟର ଲଗାଇବା ସହ ଜଡ଼ିତ ଥିଲା । ପରେ ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଥିଲା । ସେ ଗତବର୍ଷ ଡିସେମ୍ବରରେ ଜାମିନରେ ଆସିଥିବା ନେଇ ସୂଚନା ମିଳିଛି ।