ମହିଳା ସଂଘ ଓ ଗ୍ରାମବାସୀଙ୍କ ମିଳିତ ଚଢ଼ଉ, ଢାବାରୁ ୪୦ ଲିଟର ମଦ ସହ ମାଲିକକୁ କାବୁ କରି ପୁଲିସକୁ କଲେ ହସ୍ତାନ୍ତର

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଆଡସ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଦେଶୀ ମଦ କାରବାର କରୁଥିବା ଏକ ଢାବାରେ ଗ୍ରାମବାସୀ ଓ ମହିଳା ସଂଘ ଚଢ଼ଉ କରି ବେଆଇନ ମଦ ଜବତ କରିବା ସହ ଢାବା ମାଲିକକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି।

ସୂଚନା ଅନୁଯାୟୀ ରତାଖଣ୍ଡି ଗ୍ରାମରେ ବହୁଦିନ ଧରି ଚୈତନ୍ୟ ପୋଢ଼ ନାମକ ଜଣେ ବ୍ୟକ୍ତି ଢାବା ଖୋଲି ଦେଶୀ ମଦ ବିକ୍ରିକରି ଆସୁଥିଲେ। ଫଳରେ ଗାଁ’ରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିଲା। ଗ୍ରାମବାସୀ ଆଡସ ସରପଞ୍ଚ ପୁଜାରିଣୀ ସାହୁଙ୍କ ନେତୃତ୍ୱରେ ରିଆମାଳ ଅବକାରୀ ବିଭାଗ ଓ ପୁଲିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗତକାଲି ସନ୍ଧ୍ୟାରେ ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀ ଓ ମହିଳା ସଂଘ ମିଳିତ ଭାବେ ଉକ୍ତ ଢାବାରେ ଚଢ଼ଉ କରିଥିଲେ। ଏହି ସମୟରେ ଢାବା ମାଲିକ ନିକଟରୁ ୪୦ ଲିଟର ଦେଶୀ ମଦ ଜବତ କରିବା ସହିତ ତାକୁ କାବୁ କରିଥିଲେ। ଗ୍ରାମରେ ଉତ୍ତେଜନା ସୂଚନାପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ରିଆମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବେଆଇନ ମଦ ଜବତ କରିବା ସହ ଢାବା ମାଲିକ ରେଙ୍ଗାଳନାଳୀ ଗ୍ରାମର ଚୈତନ୍ୟ ପୋଢ (୩୦)କୁ ଗିରଫ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।