ଚାଷୀ ଆନ୍ଦୋଳନକୁ ୮ ମାସ ପୂରିଲା, ଆଜି ‘ମହିଳା ଚାଷୀ’ କରିବେ ପ୍ରଦର୍ଶନ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ସୀମାରେ ଜାରି ଥିବା ଚାଷୀ ଆନ୍ଦୋଳନକୁ ୮ ମାସ ପୂରିଛି। ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆଜି ଜନ୍ତର ମନ୍ତରରେ ମହିଳାଙ୍କ ବୈଠକ ଆୟୋଜନ ହେବ। ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳାମାନେ ଏହି ବୈଠକରେ ଉପସ୍ଥିତ ରହିବେ।

ଆଜି ସିଂଘୁ ସୀମାରୁ ୨୦୦ ଜଣ ମହିଳା ଚାଷୀ ଆନ୍ଦୋଳନ ପାଇଁ ଜନ୍ତର ମନ୍ତର ପହଞ୍ଚିବେ ଏବଂ ସେଠାରେ ବୈଠକ ଜରିଆରେ ନିଜର ଦାବିକୁ ଆନ୍ଦୋଳନ ମାଧ୍ୟମରେ ଦେଶବାସୀଙ୍କ ପାଖରେ ପହଞ୍ଚାଇବେ। ଏଥି ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅନ୍ୟପଟରେ ଦିଲ୍ଲୀ ପୁଲିସ ମଧ୍ୟ ଚାଷୀଙ୍କ ଏହି ଘୋଷଣାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଛି। ସୋମବାର ଜନ୍ତର ମନ୍ତରରେ ମହିଳା ଚାଷୀମାନେ ପହଞ୍ଚିବା ପୂର୍ବରୁ ମହିଳା ପୁଲିସ ବଳ ଅଧିକ ସଂଖ୍ୟାରେ ମୁତୟନ ହେବେ। ଏଥି ସହିତ ସିଂଘୁ ସୀମାରୁ ଆସିବାକୁ ଥିବା ମହଳାଙ୍କୁ ଚେକିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଦିଲ୍ଲୀ ପୁଲିସ ଗଣମାଧ୍ୟମକୁ କହିଛି ଯେ, ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରାଯିବ ନାହିଁ।

ସୂଚନାଯୋଗ୍ୟ, ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦେଶର ୪୦ଟି ଚାଷୀ ସଂଗଠନର ନେତାମାନେ ଗତବର୍ଷ ନଭେମ୍ବର ୨୬ ତାରିଖ ଠାରୁ ଦିଲ୍ଲୀର ସିଂଘୁ, ଟିକିରି ଏବଂ ଗାଜିପରୁ ସୀମାରେ ଆନ୍ଦୋଳନ କରୁଛନ୍ତି। ସରକାର ଚାଷୀମାନଙ୍କ ସହିତ ଅନେକ ପର୍ଯ୍ୟୟରେ କଥା ହୋଇଛନ୍ତି। କିନ୍ତୁ ଫଳାଫଳ ଶୂନ୍ୟ ରହିଛି।