ଭୁଲରେ ଖାଦ୍ୟନଳୀ କାଟିଦେଲେ ଡାକ୍ତର! ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ଶିଶୁକନ୍ୟା ଜନ୍ମ ହେବା ସମୟରେ ଡାକ୍ତରଙ୍କ ଦ୍ୱାରା ସମ୍ପୃକ୍ତ ମହିଳାଙ୍କର ଖାଦ୍ୟନଳୀ କଟିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ମନୋଜ ସାହୁଙ୍କ ପତ୍ନୀ ମଧୁସ୍ମିତା ସାହୁ(୨୮)ଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଚଳିତମାସ ୨୨ତାରିଖରେ ମଧୁସ୍ମିତାଙ୍କୁ ଅପରେସନ କରାଯିବା ସହ ଏକ ଶିଶୁକନ୍ୟାକୁ ଜନ୍ମଦେଇଥିଲେ ସେ। ସେହି ଅପରେସନ ସମୟରେ ଡାକ୍ତର ମଧୁସ୍ମିତାଙ୍କ ଖାଦ୍ୟନଳୀକୁ କାଟିଦେଇଥିବା ଯୋଗୁଁ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଶ୍ୱଶୁର ଧରଣୀଧର ସାହୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଅପରେସନର ପ୍ରାୟ ୧୧ଦିନ ପର୍ଯ୍ୟନ୍ତ ମଧୁସ୍ମିତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ଶ୍ୱଶୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।