ଝାରସୁଗୁଡା,କିର୍ମିରା,ଏନ୍ଏନ୍ଏସ୍: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବାଗଡିହି ଷ୍ଟେସନରେ ଏକ ମାଲବାହୀ ଟ୍ରେନରେ କଟି ସ୍ତ୍ରୀ ପ୍ରାଣ ହରାଇଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ବ୍ରଜରାଜନଗର ନୂଆଁପଡାର ରୋଶନ ମହାନନ୍ଦ(୨୨) ଓ ମୃତକ ଜଣକ ତାଙ୍କ ସ୍ତ୍ରୀ ସୋଫିୟା ମହାନନ୍ଦ(୨୦) ବୋଲି ଜଣାପଡିଛି। ତେବେ ରୋଶନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବୁର୍ଲ୍ଲାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଯାଇଥିବା ରେଳବାଇ ପୁଲିସ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ବାଗଡିହିସ୍ଥିତ ବୁଡାପଡାର ଜଣେ ସମ୍ପର୍କୀୟଙ୍କ ଘରୁ ଆଜି ପୂର୍ବାହ୍ଣରେ ରୋସନ, ସୋଫିୟା, ରୋଶନଙ୍କ ମା ଓ ଦୁଇ ଭଉଣୀ ବ୍ରଜରାଜନଗର ଫେରିବା ପାଇଁ ବାଗଡିହି ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମକୁ ଆସିଥିଲେ। ସେଠାରେ ଏକ ମାଳବାହୀ ଟ୍ରେନ ଛିଡା ହୋଇ ରହିଥିଲା। ସେହି ସମୟରେ ୧ ନମ୍ବର ପ୍ଲାଟଫର୍ମକୁ ଯିବା ପାଇଁ ରୋଶନ ଓ ସୋଫିୟା ମାଳବାହୀ ଟ୍ରେନ ତଳେ ପାରି ହେଉଥିବା ବେଳେ ହଠାତ୍ ଟ୍ରେନଟି ଛାଡି ଦେବାରୁ ସୋଫିୟା ଓ ରୋଶନ ଉପରେ ଚଢିଯାଇଥିଲା। ସୋଫିୟାଙ୍କ ଅଂଟାରୁ ଶରୀର ଦୁଇଖଣ୍ଡ ହୋଇଯାଇବାବେଳେ ରୋଶନର ଗୋଡ ଏବଂ ହାତ କଟିଯାଇଛି। ଫଳରେ ସୋଫିଆ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବାବେଳେ ରୋଶନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟକୁ ପଠାଯାଇଛି।