ହତ୍ୟାକାରୀକୁ ଗିରଫ ନ କଲେ ଆତ୍ମହୁତି ପାଇଁ ଚେତାବନୀ ଦେଲା ସ୍ତ୍ରୀ

ହତ୍ୟାକାଣ୍ଡର ୧୯ ଦିନ ପରେ ମଧ୍ୟ ପୁଲିସର ହାତଖାଲି

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମରେ ଗତ ୨୮ ତାରିଖ ଦିନ ଘଟିଥିବା ହତ୍ୟା କାଣ୍ଡ ଘଟଣାର ୧୯ ଦିନ ବିତିଯାଇଥିଲେ ହେଁ ରିଆମାଳ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବାରେ ବିଫଳ ରହିଛି। ଏହାର ପ୍ରତିବାଦରେ ଆଜି ମୃତକଙ୍କ ସ୍ତ୍ରୀ ସୁପ୍ରଭା ପ୍ରଧାନ, ପୁଅ ଅନୀଲ କୁମାର ପ୍ରଧାନ ଓ ଭାଇ ପ୍ରସନ୍ନ କୁମାର ପ୍ରଧାନ ଦେବଗଡ ଏସପି ରାହୁଲ ଜୈନଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିବା ବେଳେ ନ୍ୟାୟ ନ ମିଳିଲେ ସ୍ତ୍ରୀ ସୁପ୍ରଭା ଆତ୍ମହୁତି ଦେବାପାଇଁ ଚେତାବନୀ ଦେଇଥିବା ଜଣାପଡିଛି। ତେବେ ପୀଡିତାଙ୍କ ପରିବାରଙ୍କୁ ଶ୍ରୀଘ୍ର ନ୍ୟାୟ ପ୍ରଦାନ କରାଯିବ ବୋଲି ଶ୍ରୀ ଜୈନ ପ୍ରତିଶୃତି ଦେଇଛନ୍ତି।

ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଳ ଗ୍ରାମର ସନ୍ତୋଷ ପ୍ରଧାନ(୫୩) ଗତ ୨୮ ତାରିଖ ମଧ୍ୟାହ୍ନରୁ ନିଜ ଘରୁ ବାହରିଥିବା ବେଳେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେ ତେଣେ ଖୋଜା ଖୋଜି କରିଥିଲେ। ରାତ୍ରି ପ୍ରାୟ ୯ଟା ସମୟରେ ଛତାବର–କଙ୍କରଖୋଳ ରାସ୍ତା କଡରେ ଥିବା ସତୀଘାଟ ଚେକଡ୍ୟାମ ନିକଟରେ ତାଙ୍କ ବାଇକ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ସେହିପରି ଚେକଡ୍ୟାମ ନିକଟରେ ଖୋଜା ଖୋଜି ବେଳେ ପାଣି ମଧ୍ୟରେ ସନ୍ତୋଷଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇବାପରେ ଏ ନେଇ ପରିବାର ଲୋକେ ରିଆମାଳ ଥାନାରେ ସୂଚନା ଦେଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ରାତ୍ରି ଅନ୍ଧାର କାରଣରୁ ଅଧିକ ତଦନ୍ତ କରିପାରି ନଥିଲା। ପୁଲିସ ଗ୍ରାମବାସୀଙ୍କ ସହାୟାତରେ ପାଣି ମଧ୍ୟରୁ ମୃତ ଦେହ ଉଦ୍ଧାର କରିବା ପରେ ମୃତ ସନ୍ତୋଷଙ୍କ ମୁଣ୍ଡରେ କୁରାଢି ସାହାଯ୍ୟରେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଥିଲା। ରିଆମାଳ ପୁଲିସ ସାଇଣ୍ଟିଫିକ ଟିମର ସହାୟତା ନେଇ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟ ପକ୍ଷରେ ମୃତ ସନ୍ତୋଷଙ୍କ ସହ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହ ଗତ କିଛିଦିନ ପୂର୍ବେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ମୃତ ସନ୍ତୋଷଙ୍କୁ କୁଆଡେ ହତ୍ୟା ଧମକ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଉକ୍ତ ବ୍ୟକ୍ତି ଜଣକ ସନ୍ତୋଷଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ମୃତ ସନ୍ତୋଷଙ୍କ ପୁଅ ଅନୀଲ ରିଆମାଳ ଥାନାରେ ଅଭିଯୋଗ କରିଥିଲେ।

ଗଞ୍ଜେଇ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଏକା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୩ ଜଣ ବାହାର ଅଞ୍ଚଳର ବୋଲି କେତେକ ପ୍ରତକ୍ଷ ଦର୍ଶୀଙ୍କ ସୂଚନା ଆଧାରରେ ପୀଡିତ ପରିବାର ସଦସ୍ୟମାନେ ରିଆମାଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ପରେ ରିଆମାଳ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ହାତ ବାନ୍ଧି ଚୁପ ହୋଇ ବସିରହିବା ପୁଲିସର କାର୍ଯ୍ୟ ଦକ୍ଷତାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।