ଆମେରିକାରେ ମହିଳାଙ୍କୁ ମୃତ୍ୟୁଦଣ୍ଡ

ୱାଶିଂଟନ୍,ଏଜେନ୍ସି: ଆମେରିକାର କଂସାସରେ ରହୁଥିବା ଜଣେ ମହିଳାଙ୍କୁ ଅନ୍ୟଜଣେ ଗର୍ଭବତୀ ମହିଳାଙ୍କର ଗଳାଚିପି ହତ୍ୟା ଏବଂ ତାଙ୍କ ପେଟ କାଟି ଭ୍ରୁଣ ବାହାର କରିବା ଅପରାଧରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଆମେରିକା ସରକାର ପ୍ରାୟ ୭୦ବର୍ଷ ପରେ ପ୍ରଥମ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୫୨ବର୍ଷୀୟା ଲିସା ମଣ୍ଟଗୋମରୀଙ୍କୁ ଇଣ୍ଡିଆନା ପ୍ରାନ୍ତ ଟେରେହୋଟେ ସଂଘୀୟ ଜେଲ୍ ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଷାକ୍ତ ଇଞ୍ଜେକ୍ସନ ଦିଆଯାଇଥିଲା। ପରେ ରାତି ୧ଟା ୩୧ ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମାମଲା ଅନୁଯାୟୀ, ୨୦୦୪ରେ ମିସୁରୀର ସ୍କିଡମୋର ସହରରେ ୨୩ବର୍ଷୀୟା ବବି ଜୋ ଷ୍ଟିନେଟ୍ ନାମକ ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କୁ ରଶି ଦ୍ୱାରା ଗଳା ଚିପି ହତ୍ୟା କରିଥିଲେ ଲିସା। ପରେ ଏକ ଛୁରୀ ସାହାଯ୍ୟରେ ମହିଳାଙ୍କ ପେଟ କାଟି ଭ୍ରୁଣ ବାହାର କରିନେଇଥିଲେ ଏବଂ ପିଲାଟିକୁ ନିଜ ସାଥିରେ ନେଇଯାଇ ନିଜର କରି ପାଳିବାକୁ ଲାଗିଥିଲେ। ମୃତ୍ୟୁ ପୂର୍ବରୁ ଲିସାଙ୍କୁ ଶେଷଇଚ୍ଛା ପଚରାଯାଇଥିଲେ ମଧ୍ୟ ସେ କୌଣସି ଇଚ୍ଛା ପ୍ରକାଶ କରିନଥିଲେ। ଅନ୍ୟପଟେ ଲିସାଙ୍କ ଓକିଲ କେଲି ହେନେରି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି। ବିଷାକ୍ତ ଇଞ୍ଜେକ୍ସନ୍ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ଲିସା ଆମେରିକାର ୧୧ତମ ଦୋଷୀ। ଶେଷଥର ପାଇଁ ୨୦୨୦ ଜୁଲାଇରେ ଜଣେ ବ୍ୟକ୍ତିଙ୍କୁ ବିଷ ଇଞ୍ଜେକ୍ସନ୍ ଦ୍ୱାରା ମୃତ୍ୟୁ ଦଣ୍ଡ ଦିଆଯାଇଥିଲା।