ଶ୍ରମିକ ଟ୍ରେନରେ ପ୍ରସବ କଲେ ମହିଳା

ବଲାଂଗୀର,ଏନ୍ଏନ୍ଏସ୍ : ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ତାମିଲନାଡୁରୁ ନେଇ ବଲାଙ୍ଗୀର ଆସୁଥିବା ଏକ ସ୍ୱତନ୍ତ୍ର ଟ୍ରେନରେ ଜନୈକ ମହିଳା ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜନୈକ ମହିଳା ଓ ତାଙ୍କ ସ୍ୱାମୀ ଧୁବଲେ ନାଗ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେମାନେ ହ୍ରାଇଦ୍ରାବାଦରୁ ଏହି ସ୍ୱତନ୍ତ୍ର ଟ୍ରେନରେ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ । ବଲାଙ୍ଗୀରରେ ଓହ୍ଲାଇ ସେମାନେ ନିଜ ଗାଁ’ ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଅଭିମୁଖେ ଯାଇଥାନ୍ତେ । ତେବେ ଟ୍ରେନଟି ଟିଟିଲାଗଡ ଷ୍ଟେସନରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ବେଳେ ମହିଳାଙ୍କ ପ୍ରସବ ବେଦନା ହେବା ସହିତ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବଲାଙ୍ଗୀର ଷ୍ଟେସନରେ ପହଂଚିବା ପରେ ଉଭୟ ମା’ଓ ଶିଶୁଙ୍କୁ ଏକ ଆମ୍ବୁଲାନ୍ସରେ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତର ଖାନାକୁ ନିଆଯାଇଥିଲା । ଉଭୟଙ୍କ ସ୍ୱସ୍ଥ୍ୟବସ୍ଥା ଠିକ ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।