ମହିଳାଙ୍କୁ ଗଣଦୁଷ୍କର୍ମ ସହ ସିଗାରେଟରେ ଚେଙ୍କ ଦେଇ ପୋଡ଼ିଲେ, ସ୍ୱାମୀ ଗିରଫ

କେରଳ,ଏଜେନ୍ସି: ଜଣେ ମହିଳାକୁ ଗଣଦୁଷ୍କର୍ମ କରିବା ସହ ସିଗାରେଟରେ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସ୍ୱାମୀ ଜଣଙ୍କ ତାଙ୍କୁ ଓ ତାଙ୍କ ପୁଅକୁ ନେଇ ନିକଟସ୍ଥ ଏକ ବେଳାଭୂମିରେ ଥିବା ଏକ ସାଙ୍ଗ ଘରକୁ ଯାଇଥିଲେ।

ଏହି ସମୟରେ ସେଠାରେ ମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ତାଙ୍କୁ ଅନ୍ୟ ଏକ ଘରକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କୁ ସେଠାରେ ତାର ୫ ବର୍ଷର ପୁଅ ସାମ୍ନାରେ ସିଗାରେଟରେ ଚେଙ୍କ ଦେବା ସହିତ ତାଙ୍କୁ ବହୁଥର ଚାପୁଡ଼ା ମଧ୍ୟ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ଦେଖି ପୁଅ କାନ୍ଦିବାରୁ ତାକୁ ମଧ୍ୟ ମାଡ଼ ମାରିଛନ୍ତି। ପରେ ମହିଳାଙ୍କୁ ତାର ପୁଅକୁ ଘରେ ଛାଡି ଆସିବାକୁ କୁହାଯାଇଥିଲା। ମହିଳା ଜଣଙ୍କ ସେଠାରୁ ବାହାରି ଏକ ଗାଡ଼ିକୁ ଲିଫ୍ଟ ମାଗି ଘରକୁ ଯିବାରାସ୍ତାରେ ସେ ଏ ସମ୍ପର୍କରେ ଗାଡ଼ିମାଲିକଙ୍କୁ ସବୁ କହିଥିଲେ।

ଏହାପରେ କାର ମାଲିକ ଥାନାରେ ସୂଚନା ଦେବା ସହ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି। ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳ ଏଥିରେ ସ୍ୱାମୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏପରିକି ସେ ତାର ସ୍ତ୍ରୀକୁ ପୁଲିସରେ ମାମଲା ରୁଜୁ କରିବାର ବିରୋଧ କରିଥିଲା। ଏ ନେଇ ପୁଲିସ ସେମାନଙ୍କ ମଧ୍ୟରେ କେତେକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ପୂର୍ବରୁ ଡ୍ରଗ କାରବାରରେ ସାମିଲ ଥିବା ଜଣାପଡ଼ିଛି।