ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଉଳବା ଗ୍ରାମର ଜଣେ (୨୫)ବର୍ଷୀୟା ମହିଳା କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଉକ୍ତ ମହିଳାଙ୍କର ଗତକାଲି ଅପରାହ୍ନରେ ମୃତ୍ୟୁ ଘଟିଥିବାବେଳେ ଗାଡ଼ି ସୁବିଧା ନ ମିଳିବାରୁ ତାଙ୍କ ମୃତଦେହ ଡାକ୍ତରଖାନାରେ ପଡ଼ି ରହିଛି ବୋଲି ପରିବାର ଲୋକେ କହିଛନ୍ତି । ମିଳିଥିବା ରିପୋର୍ଟ ମୁତାବିକ, ଗତ କିଛିଦିନ ହେଲା ଜ୍ୱର ହେଉଥିବା ଜାଣିବାକୁ ପାଇ ସେ କରୋନା ଟେଷ୍ଟ କରାଇଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ପରେ ଦେହ ଅସୁସ୍ଥ ହେବା ଯୋଗୁ ସଇଁନ୍ତଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଅଣା ଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ମହିଳା ଜଣକ କରୋନା ରୋଗୀ ବୋଲି ପରିବାର ଲୋକେ କାହାକୁ ଜଣାଇନଥିଲେ। ହେଲେ ଡାକ୍ତରଖାନାରେ ଅଧିକାରୀ ଏହା ଜାଣିବା ପରେ ଶବ ସତ୍କାର କରାଯାଇ ନଥିବା ଦେଖିବାକୁ ମିଳିଛି। ଦୀର୍ଘ ୨୪ ଘଣ୍ଟା ହେଲାଣି ଡାକ୍ତରଖାନାରେ ମୃତଦେହ ପଡ଼ି ରହିଥିବାବେଳେ ପ୍ରଶାସନକୁ ଗୁହାରି ଜଣାଇଥିଲେ ମଧ୍ୟ ପରିବାର ଲୋକଙ୍କ କଥାକୁ କେହି ଶୁଣି ନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏପରି ଖବର ପ୍ରସାରଣ ହେବା ପରେ ଡାକ୍ତରଖାନା ୭୨ ଘଣ୍ଟା ପାଇଁ ସଟଡାଉନ କରାଯିବ ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ, ପୁଲିସ ପ୍ରଶାସନ ଓ ଡାକ୍ତରଖାନାର ଅଧିକାରୀ ଉପସ୍ଥିତ ଥିଲେ। ଏସଂପର୍କରେ ବଲାଙ୍ଗିର ସିଡିଏମଓ ଡା. ଭୀମ ସାହୁଙ୍କୁ ପଚାରିବାରୁ ତାଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ପାରିନାହିିଁ । ତେବେ ଅଞ୍ଚଳରେ ଖବର ପ୍ରସାର ହେବା ପରେ କରୋନା ସଂକ୍ରମଣକୁ ନେଇ ପୁଣି ଭୟର ବାତାବରଣ ଦେଖାଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗି ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଖବର ଲେଖା ହେବା ପର୍ୟ୍ୟନ୍ତ ମୃତଦେହ ଡାକ୍ତରଖାନାରେ ପଡ଼ି ରହିଛି।