ଇଦ୍ ପାଇଁ ଦେଶବାସୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶ ତଥା ରାଜ୍ୟରେ ଘରେ ରହି ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ଇଦ୍ ପାଳନ କରୁଛନ୍ତି। କରୋନା କଟକଣା ଓ ଲକଡାଉନ ଇଦ୍ ପାଳନକୁ ଫିକା କରିଥିବାବେଳେ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଇଦ ମୁବାରକ ଜଣାଇବା ସହ ଇଦ୍ ପର୍ବ ହେଉଛି ପରସ୍ପର ମଧ୍ୟରେ ଭାଇଚାରା ଏବଂ ମାନବିକତାର ସେବାରେ ନିଜକୁ ସମର୍ପିତ କରିବାର ଏକ ସୁଯୋଗ ବୋଲି କହିଛନ୍ତି। ଆସନ୍ତୁ ଏକାଠି ହୋଇ କୋଭିଡରୁ ମୁକୁଳିବା ପାଇଁ ଏକାଠି ହେବା ତଥା ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବା। ଦେଶକୁ କରୋନା ମୁକ୍ତ କରିବା ଲାଗି ସଂକଳ୍ପ ନେବା ବୋଲି ଟୁଇଟ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇଦ ଉତ୍ସବ ଲାଗି ସଭିଁଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି, ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି। ଆମର ସାମୂହିକ ପ୍ରୟାସ ଦ୍ୱାରା ଆମେ ବିଶ୍ୱ ମହାମାରୀକୁ ଦୂର କରି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିବା।

ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଇଦ୍ ଲାଗି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ଇଦ-ଉଲ ଫିତର ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓ ହର୍ଷୋଲ୍ଲାସ ଏବଂ ଆନନ୍ଦର ଏ ପର୍ବରେ ସେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇଦ୍ ଲାଗି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଇଦ୍-ଉଲ-ଫିତରର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଇଦ୍ ଭଳି ଉତ୍ସବରେ ଆତ୍ମା ସୁଖ, ସମୃଦ୍ଧତା, ଶାନ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣି ଆମକୁ ଦୟା ଏବଂ ପ୍ରେମ ପଥରେ ଆଗେଇ ନେଉ।