ଭିନ୍ନକ୍ଷମ ମିଶନ ଶକ୍ତି ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍:ରୋଶ୍ନୀ ଭିନ୍ନକ୍ଷମ ମିଶନ ଶକ୍ତି ତରଫରୁ ବ୍ରଜରାଜନଗର ଅଞ୍ଚଳର ଅସହାୟ ତଥା ଭିନ୍ନକ୍ଷମ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ବ୍ରଜରାଜନଗର କତାବଗା ଓ ଇବ ପିଟ୍ ଧଉଡାରୁ ଜାନୁଆରୀ ପହିଲାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶୀତଦିନ ଶେଷହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏଥିପାଇଁ ସ୍ୱଇଚ୍ଛାରେ କୌଣସି ସକ୍ଷମ ବ୍ୟକ୍ତି ନୂଆ କିମ୍ବା ପୁରୁଣା କପଡା ପ୍ରଦାନ କଲେ ତାକୁ ମଧ୍ୟ ଗରିବ ଲୋକଙ୍କୁ ପ୍ରଦାନ କରାଯାଉଛି ବୋଲି ସଙ୍ଗଠନର ସଦସ୍ୟ କିରନ ଦାସ କହିଛନ୍ତି।


ସୂଚନା ଯୋଗ୍ୟ ଯେ, ବ୍ରଜରାଜନଗର ପୌରାଞ୍ଚଳରେ ଭିନ୍ନକ୍ଷମମାନଙ୍କୁ ନେଇ ୧୫ ଟି ସ୍ଥାନରେ ରୋଶ୍ନୀ ଭିନ୍ନକ୍ଷମ ଶକ୍ତିର ସଂସ୍ଥା ଖୋଲାଯାଇଛି। ଗରିବ ଅସହାୟଙ୍କୁ ସହଯୋଗ ଯୋଗାଇ ଦେବା ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବାବେଳେ ଗତ ଡିସେମ୍ବର ୩୦ ତାରିଖ ଦିନ ମଣ୍ଡଳିଆସ୍ଥିତ ଡାକ୍ତରଖାନା ପାଖରେ ଏହି ସଂସ୍ଥାର ଉଦଘାଟନ କରାଯାଇଥିଲା। ଏହି ଅବସରରେ ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଟ ବିହାରୀ ସେଠ୍, କେନ୍ଦ୍ରୀୟ ଚିକିତ୍ସାଳୟର ଡ. ଅରୁଣ ଅଗ୍ରୱାଲ ଓ ବ୍ରଜରାଜନଗର ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ଏହି ଅବସରରେ କିରନ୍ ଦାସ, ମୋହନ କୁମାର, ଫକୀର ବେହେରା, କମଲେଶ୍ୱରୀ ଲୁହାର, ବଳରାମ ପାତ୍ର, ଅର୍ଜୁନ ମୁଣ୍ଡା, ରମପ୍ରିତ୍ ଗୌଣ୍ଡ, ଲକ୍ଷ୍ମଣ କରନ୍, ଚିରଞ୍ଜିବୀ ସାମଲ, ମନ୍ଦିର ସିଂହ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ଲୁନା ଦାସ, ଚିତ୍ତରଞ୍ଜନ ମୂଖାର୍ଜୀ, ଦୀପକ ପଣ୍ଡା, ବାବୁଲୁ ଜସ୍ୱଓାଲ୍, ସନ୍ଦୀପ ଭାଓ ପ୍ରମୁଖ ସହଯୋଗ କରିଥିଲେ।