ଦ୍ଵିତୀୟ ସ୍ତ୍ରୀ ଆଣି ଫସିଲେ ସ୍ୱାମୀ, ସ୍ୱାମୀଙ୍କୁ ଫାଣ୍ଡି ସମ୍ମୁଖରେ ପ୍ରଥମ ସ୍ତ୍ରୀର ମାଡ଼ ମାରିବା ଭିଡିଓ ଭାଇରାଲ

ପାଟଣା,ଏନ୍ଏନ୍ଏସ୍: ସ୍ତ୍ରୀ ଥାଇ ମଧ୍ୟ ସ୍ୱାମୀର ଦ୍ୱିତୀୟ ବିବାହକୁ ସହି ନପାରି ପ୍ରଥମ ସ୍ତ୍ରୀ ଫାଣ୍ଡି ସାମ୍ନାରେ ସ୍ୱାମୀକୁ ମାଡ଼ ମାରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡ଼ା ବ୍ଲକ ମାଛଗଡ଼ ପଞ୍ଚାୟତ ସୋନାରୀପଶି ଗ୍ରାମର ପରେଶ ମହାନ୍ତଙ୍କ ଝିଅ ଲକ୍ଷ୍ମୀ ମହାନ୍ତ ବଡ଼ବିଲ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଗଣେଶ୍ୱର ମହାନ୍ତଙ୍କୁ ୬ ବର୍ଷ ପୂର୍ବରୁ ବିବାହ କରିଥିଲେ। ଉଭୟଙ୍କ ଗୋଟେ ପୁଅ ଓ ଝିଅ ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ଲକ୍ଷ୍ମୀଙ୍କ ସ୍ୱାମୀ ଗଣେଶ୍ୱର କିଛି ଦିନ ପୂର୍ବରୁ ହରିଚନ୍ଦନପୁର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଆଣି ଘରେ ରଖିବା ପରେ ସ୍ତ୍ରୀ ଏହାକୁ ପ୍ରତିବାଦ କରିଥିଲେ। ଏଥିସହ ସାହାରପଡା ଫାଣ୍ଡିରେ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ।

ଗତକାଲି ପୁଲିସ ଉଭୟଙ୍କୁ ଫାଣ୍ଡିକୁ ଡକାଇ ଥିବାବେଳେ ଗଣେଶ୍ୱର ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିସାରିଛି କହିଥିଲେ। ପରେ ଲକ୍ଷ୍ମୀ ସ୍ୱାମୀଙ୍କୁ ଫାଣ୍ଡି ଆଗରେ ପୁଲିସ ସମ୍ମୁଖରେ ନିର୍ଦ୍ଧୁମ ଛେଚିଥିଲେ। ସେହି ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ଏ ଘଟଣାକୁ ନେଇ ଉଭୟ ପକ୍ଷରୁ ଆପସ ବୁଝାମଣା ହୋଇଥିବା ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ସୂଚନା ଦେଇଛନ୍ତି। ଅନ୍ୟପଟେ ଫାଣ୍ଡି ସମ୍ମୁଖରେ ପୁଲିସ ସାମ୍ନାରେ ମାଡ଼ ହେବା ଘଟଣା ସଭ୍ୟ ସମାଜକୁ ନିନ୍ଦିତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।