୫୦୦ କୋଟିର କର୍ପସ ପାଣ୍ଠି ଗଲା କୁଆଡ଼େ – ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ସେମାନଙ୍କ ପାଇଁ କର୍ମନିଯୁକ୍ତିର ଅଭାବକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ତଥା କର୍ମନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିବା ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି କୁଆଡ଼େ ଗଲା ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ , କରୋନା ସଙ୍କଟ ସମୟରେ ପ୍ରବାସୀ ଶ୍ରମିକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟ ବାହାରେ ପାଖାପାଖି ୧୦ ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମିକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଥିଲେ। କରୋନା ମହାମାରୀ ସମୟରେ ବିଭିନ୍ନ ସଂସ୍ଥା ବନ୍ଦ ହୋଇଯିବାରୁ ପ୍ରବାସୀ ଶ୍ରମିକମାନେ ଏବେ ଗାଁରେ ଅଛନ୍ତି। କାମଧନ୍ଦା ଓ ରୋଜଗାର ନମିଳିବାରୁ ଅନେକ ଶ୍ରମିକ ପଳାୟନ କରୁଛନ୍ତି। ଏହାପରେ ବି ରାଜ୍ୟ ସରକାର ସେମାନଙ୍କୁ ନା ଚିହ୍ନଟ କରୁଛନ୍ତି ନା  କୌଣସି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସୁପ୍ରିମକୋର୍ଟ ପ୍ରବାସୀମାନଙ୍କର ଦକ୍ଷତା ମ୍ୟାପିଂ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟରେ ତାହା ଏଯାବତ ଆରମ୍ଭ ହୋଇନାହିଁ। କରୋନା ସମୟରେ କେଉଁ ଜିଲ୍ଲାରେ କେତେ ଶ୍ରମିକ ବାହାର ରାଜ୍ୟରୁ ଆସିଛନ୍ତି  ଓ ଏବେ କେତେ ଜଣ କାମଧନ୍ଦା ପାଇଁ ପୁଣି ରାଜ୍ୟ ବାହାରକୁ ଗଲେଣି, ତାହାର ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଆମେ ଚାକିରୀ ଦେବୁ କହି ରାଜ୍ୟ ସରକାର କେବଳ ମିଥ୍ୟା ପ୍ରଚାର କରି ଚାଲିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଯଦି ରାଜ୍ୟସରକାର ବାସ୍ତବରେ ପ୍ରବାସୀ ଶ୍ରମିକଙ୍କୁ ଚାକିରି ଯୋଗାଇ ଦେବା ପାଇଁ ଚାହୁଁଛନ୍ତି ତେବେ ପ୍ରବାସୀ ଶ୍ରମିକମାନଙ୍କର ଚାକିରି କରୁଥିବା ସ୍ଥାନ, କେଉଁ ବିଭାଗ, କେଉଁ ପଦବୀ, କେତେ ଦରମା ଏବଂ କେତେ ବର୍ଷର ଅଭିଜ୍ଞତା ଆଦିର ଏକ ତାଲିକା ପ୍ରସ୍ତୁତ କରି ଦକ୍ଷତା ଅନୁଯାୟୀ ନିଜ ରାଜ୍ୟରେ ସରକାର ସେମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।