ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ଠାରୁ ଘରୋଇ ବିମାନ ଉଡାଣ ଆରମ୍ଭ ହେଉଛି। ଏଥିରେ ଯାତ୍ରା କରିବାକୁ ଥିବା ବିମାନଯାତ୍ରୀଙ୍କର କରୋନା ସଂକ୍ରମଣର ଲକ୍ଷଣ ନଥିଲେ ଅର୍ଥାତ୍ ‘ଆରୋଗ୍ୟ ସେତୁ’ ଆପ୍ରେ ସେମାନଙ୍କ ହେଲ୍ଥ ଷ୍ଟାଟସ ଗ୍ରୀନ ଦେଖାଗଲେ, ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି ଶନିବାର ଏହା ସ୍ପଷ୍ଟ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ। ସେ କହିଛନ୍ତି ଯେ, ଯେଉଁମାନେ ଆରୋଗ୍ୟ ସେତୁ ଆପ୍ ଡାଉନ୍ଲେଡ୍ କରିଛନ୍ତି ତାହା ସେମାନଙ୍କ ପାଇଁ ପାସ୍ପୋର୍ଟ ଭଳି କାମ କରିବ। ଏହି ଆପ୍ ଗ୍ରୀନ ଷ୍ଟାଟସ ଦେଖାଇଲେ ଜଣଙ୍କୁ ସଙ୍ଗରୋଧ କରାଯିବାର କୌଣସି କାରଣ ନାହିଁ। ଫେସବୁକ୍ ଲାଇଭ୍ରେ ଆସି ବିମାନ ଚଳାଚଳ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି । ତେବେ ସେ ଏହି ନିୟମ କେବଳ ଘରୋଇ ବିମାନ ଯାତ୍ରା ପାଇଁ ଲାଗୁ ହେବ ବୋଲି କହିଛନ୍ତି। ତେବେ ବିଦେଶରୁ ଫେରୁଥିବା ଯାତ୍ରୀମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ। ପୂର୍ବରୁ ଶ୍ରୀ ପୁରୀ ଘୋଷଣା କରିଥିଲେ ଯେ, ଘରୋଇ ଯାତ୍ରୀବାହୀ ବିମାନର ଉଡାଣ ମେ ୨୫ରୁ ପରୀକ୍ଷାମୂଳକ ଭାବରେ ଆରମ୍ଭ ହେବ। ଏ ନେଇ ଯାତ୍ରୀ ଏବଂ ବିମାନ କମ୍ପାନୀ ପାଇଁ ମନ୍ତ୍ରାଳୟ ନୂତନ ନିର୍ଦ୍ଦେଶନାମା ଜାରି କରିସାରିଛି। ଘରୋଇ ବିମାନଯାତ୍ରା ପାଇଁ ଆରୋଗ୍ୟସେତୁ ଆପ୍ ବ୍ୟବହାର କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିବା ବେଳେ ୧୪ ବର୍ଷରୁ କମ୍ ପିଲାମାନଙ୍କୁ ଏଥିରୁ ମୁକ୍ତ କରାଯାଇଛି। ଏହା ସହ ଯଦି କୌଣସି ଯାତ୍ରୀଙ୍କ ଫୋନରେ ଆରୋଗ୍ୟ ସେତୁ ଆପ୍ କୌଣସି କାରଣରୁ ନଥାଏ, ତେବେ ସେମାନେ ଏକ ଆତ୍ମ-ଘୋଷଣା ଫର୍ମ ଦେଇପାରିବେ ଏବଂ ଏହିପରି ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ।