ୱେଷ୍ଟରଡ୍ୟାମ୍ ଜାହାଜ ଯାତ୍ରୀଙ୍କୁ ଥାଇଲାଣ୍ଡ ନିଷେଧ

ବ୍ୟାଙ୍କକ୍,ଏଜେନ୍ସି : ହଲାଣ୍ଡ ଆମେରିକା ୱେଷ୍ଟରଲ୍ୟାଣ୍ଡ ଜାହାଜରେ ଥିବା ଥାଇ ନାଗରିକଙ୍କ ବ୍ୟତୀତ ଅନ୍ୟ ଦେଶର ନାଗରିକଙ୍କୁ ଥାଇଲାଣ୍ଡରେ ଓହ୍ଲାଇବାକୁ ବାରଣ କରାଯାଇଛି। ଜାହାଜର ଜଣେ ମହିଳା ଯାତ୍ରୀଙ୍କୁ କରୋନା ସଂକ୍ରମଣ କରିଥିବା ସମ୍ପର୍କରେ ମାଲେସିଆ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେବାପରେ ଅନ୍ୟ ଯାତ୍ରୀମାନେ ଡରିଯାଇଛନ୍ତି। ଜାହାଜର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଗ୍ରାଣ୍ଟ ତାର୍ଲିଂ କହିଛନ୍ତି ଯେ ସେମାନେ ବିଶ୍ୱର ଜଣାଶୁଣା ସ୍ୱାସ୍ଥ୍ୟ ଗବେଷକଙ୍କ ସହ ସମ୍ପର୍କ ରକ୍ଷା କରି ସେମାନଙ୍କ ପରାମର୍ଶ ଅନୁସାରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରିଛନ୍ତି।

ଜାହାଜର ୮୩ ବର୍ଷୀୟା ଆମେରିକା ମହିଳାଙ୍କୁ କରୋନା ସଂକ୍ରମଣ କରିଥିଲା। ତାଙ୍କ ସ୍ୱାମୀଙ୍କ ପାଖରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଉଭୟଙ୍କୁ କୁଆଲା ଲୁମ୍ପୁର ବନ୍ଦରରେ ଜାହାଜରୁ ଓହ୍ଲାଇ ଦିଆଯାଇଥିଲା। ତେବେ ମହିଳାଙ୍କ ସ୍ୱାମୀଙ୍କୁ କରୋନା ସଂକ୍ରମଣ କରି ନଥିବା ଜଣାପଡ଼ିଛି। ଏସିଆର ବିଭିନ୍ନ ବନ୍ଦରରୁ ନିରାଶ ହେବାପରେ ୱେଷ୍ଟରଡ୍ୟାମ ଏବେ ଦ୍ୱିଧାରେ ପଡ଼ିଛି। ଗତ ଗୁରୁବାର ଶେଷଥର ପାଇଁ ଏହି ଜାହାଜ କାମ୍ବୋଡିଆ ବନ୍ଦରରେ କିଛି ସମୟ ପାଇଁ ଅଟକିଥିଲା। ଜାହାଜରୁ ୧୪୫୫ ଯାତ୍ରୀଙ୍କୁ ଓହ୍ଲାଇ ଦେବାକୁ କାମ୍ବୋଡିଆ ସରକାର ଅନୁମତି ଦେଇଥିଲେ। ସବୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସ୍ୱଦେଶ ଫେରିଯିବାକୁ ଅନୁମତି ଦିଆଯାଇଥିଲା। କାମ୍ବୋଡିଆ ସ୍ୱାସ୍ଥ୍ୟ ଅଧିକାରୀମାନେ ଜାହାଜରେ ରହି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସୋମବାର ସୁଦ୍ଧା ୨୫୫ ଯାତ୍ରୀ ଓ ୭୪୭ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହୋଇଛି।