ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କରୋନା କଟକଣା ମଧ୍ୟରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଜାରି

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। କୋଭିଡ କଟକଣା ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ ମତଦାନ ଜାରି ଥିବା ବେଳେ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୪ଟି ଜିଲ୍ଲାର ୪୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେଉଛି। ଏହି ପର୍ଯ୍ୟାୟରେ ମୋଟ ୩୦୬ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି। ଉତ୍ତର ୨୪ ପ୍ରଗଣାର ୧୭ଟି ଆସନ, ନଦୀଆ ଜିଲ୍ଲାର ୯ଟି ଆସନ, ଉତ୍ତର ଦନାଜପୁରର ୯ଟି ଆସନ ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ୮ଟି ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି।

ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ମାର୍ଚ୍ଚ ୨୭ରେ ଏହା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୦ଟି, ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି, ତୃତୀୟ ପର୍ଯ୍ୟାୟରେ ୩୧ଟି, ୪ର୍ଥ ପର୍ଯ୍ୟାୟରେ ୪୪ଟି ଆସନ ଏବଂ ପଞ୍ଚମ ପର୍ଯ୍ୟାୟରେ ୪୫ଟି ଆସନରେ ମତଦାନ ହୋଇଥିଲା। ରାଜ୍ୟରେ ମୋଟ ୨୯୪ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୨୬ ତଥା ସପ୍ତମ ପର୍ଯ୍ୟାୟରେ ୩୬ଟି ଓ ଏପ୍ରିଲ ୨୯ ତାରିଖରେ ଶେଷ ତଥା ଅଷ୍ଟମ ପର୍ଯ୍ୟାୟରେ ୩୫ଟି ଆସନରେ ମତଦାନ ହେବ। ଆସନ୍ତା ମେ’ ୨ ତାରିଖରେ ଭୋଟ ଗଣତି ଓ ଫଳାଫଳ ବାହାରିବ।