ପଶ୍ଚିମବଙ୍ଗ ବିଧାୟକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା କରି ଝୁଲାଇ ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ

କୋଲ‌କାତା,ଏଜେନ୍ସି: ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତ ଦେହ ଆଜି ସକାଳେ ତାଙ୍କ ଗାଁ ବିନ୍ଦାଲରେ ଥିବା ଘର ନିକଟରୁ ଉଦ୍ଧାର ହୋଇଛି। ତେବେ ତାଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଏ ସମ୍ପର୍କରେ ପଶ୍ଚିମବଙ୍ଗ ବିଜେପି କହିଛି ଯେ ୨୦୧୯ରେ ସେ ବିଜେପିରେ ଯୋଗଦେଇଥିଲେ। ତେବେ ଆଜି ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ସ୍ଥାନୀୟ ଲୋକେ ସ୍ପଷ୍ଟ ଭାବେ କହୁଛନ୍ତି ଯେ, ପ୍ରଥମେ ତାଙ୍କୁ ହତ୍ୟା କରାଯାଇଛି ପରେ ଟାଙ୍ଗି ଦିଆଯାଇଛି। ତେଣୁ ଏହି ନେତାଙ୍କ ଅପରାଧ କ’ଣ ଥିଲା ବୋଲି ବିଜେପି ପ୍ରଶ୍ନ କରିଛି।