ମାଲକାନଗିରିର ୨ଟି ପୌରାଞ୍ଚଳରେ ଆଜିଠୁ ସପ୍ତାହାନ୍ତ ସଟଡାଉନ ଆରମ୍ଭ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ୨ଟି ପୌରାଞ୍ଚଳରେ ଆଜିଠୁ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି। ଏଥିଲାଗି ଆଜି ପ୍ରଥମ ଦିନରେ ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏଥିରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବାକୁ ବାଦ ଦିଆଯାଇଛି। ତେବେ ଆଜି ମାଲକାନଗିରିରୁ ଅନ୍ୟ ଅଞ୍ଚଳକୁ ଯାଉଥିବା କିଛି ବସ ଚଳାଚଳ ମଧ୍ୟ ବନ୍ଦ ରହିଛି। ଗତକାଲି ଜରୁରୀ କାମ ଥିଲେ ହିଁ ଘରୁ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଥିଲା। ଫଳରେ ଜିଲ୍ଲାର ଏହି ୨ଟି ପୌରାଞ୍ଚଳର ବଜାର ଜନଶୂନ୍ୟ ହୋଇପଡ଼ିଛି। ପୁଲିସ ପକ୍ଷରୁ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ଛକ ଓ ମୁଖ୍ୟରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏଥିସହ ମାସ୍କ ଯାଞ୍ଚ କରାଯାଇ ଯେଉଁମାନେ ବିନା କାମରେ ବାହାରକୁ ବାହାରୁଛନ୍ତି ଓ ନିୟମ ଖିଲାପ କରୁଛନ୍ତି ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଥିବା ଦେଖାଯାଇଛି। ସଟଡାଉନ ଯୋଗୁ ପୁଲିସ ପକ୍ଷରୁ ଜିଲ୍ଲାର ୨ଟି ପୌରାଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଞ୍ଚ କରାଯାଇ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି ବୋଲି ଏସଡିପିଓ ଅଂଶୁମାନ ଦ୍ୱିବେଦୀ ପ୍ରକାଶ କରିଛନ୍ତି।