ଝାରସୁଗୁଡ଼ାରେ ମେ’୧୫ ଯାଏଁ ବୃଦ୍ଧି ହେଲା ସପ୍ତାହନ୍ତ ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁକୁ ମେ’ ୧୫ ଯାଏଁ ବୃଦ୍ଧି କରାଯାଇଛି। ଏହି ନାଇଟ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟଡାଉନ ସମୟରେ ସାଧାରଣ ପରିବହନ ଓ ଦୋକାନ ବଜାର ଆଦି ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଲୋକଙ୍କ ଅନାବଶ୍ୟକ ଯାତାୟାତକୁ ମଧ୍ୟ ବାରଣ କରାଯାଇଛି। ଏହି ସମୟରେ କେବଳ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସଂସ୍ଥା, ଚିକିତ୍ସାଳୟ, ପୁଲିସ ଷ୍ଟେସନ, ଅଗ୍ନିଶମ ବିଭାଗ, ପ୍ରଶାସନିକ କାର୍ଯ୍ୟ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟ ସହ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ ଖୋଲା ରହିବ। ସେହିପରି କୃଷି, ଗୋପାଳନ ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦେକାନ, ପେଟ୍ରୋଲ ପମ୍ପ, ଦୁଗ୍ଧ ଯୋଗାଣ, ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଆଦି ଖୋଲା ରହିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଅନୁମତି ଦିଆଯାଇଛି।