ଜମ୍ମୁ-କଶ୍ମୀରରୁ ଅସ୍ତ୍ରଶସ୍ତ୍ର ଜବତ କଲା ସେନା

  • ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଆଜି ଭାରତୀୟ ସେନା ପକ୍ଷରୁ କିଛି ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପାକିସ୍ତାନ ପଟୁ ଡ୍ରୋନ ମାଧ୍ୟମରେ ଏସବୁ ଅସ୍ତ୍ରଶସ୍ତ୍ର ପଠାଯାଇଥିବା ସେନା ସନ୍ଦେହ କରୁଛି। ଭାରତୀୟ ସେନାର ୱେଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳେ ସାମ୍ବା ନିକଟସ୍ଥ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବା ସେନାର ଯବାନମାନେ ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ କରାଯିବା ପରେ ସାର୍ôଥଆନ ଗାଁ ନିକଟରେ ଏକ ବ୍ୟାଗରୁ ଦୁଇଟି ପିସ୍ତଲ, ୫ଟି ମାଗାଜିନ, ୧୨୨ ରାଉଣ୍ଡ ଗୁଳି ମିଳିଥିଲା। ଯେଉଁ ସ୍ଥାନରୁ ଏହି ବ୍ୟାଗ୍ ମିଳିଥିଲା ତାହା ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ। ସକାଳେ ଦେଖାଯାଇଥିବା ଡ୍ରୋନ ଏସବୁ ଅସ୍ତ୍ରଶସ୍ତ୍ରକୁ ପକାଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଗତ ଜୁନ ୨୭ରେ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟିରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ କରାଯିବା ପରେ ନିୟମିତଭାବେ ଜମ୍ମୁ ଓ କଶ୍ମୀରରେ ଡ୍ରୋନ ଚିହ୍ନଟ ହେଉଛି। ଆତଙ୍କବାଦୀଙ୍କ ସହାୟତା ପାଇଁ ପାକିସ୍ତାନର ଆଇଏସଆଇଏସ ପକ୍ଷରୁ ଏସବୁ ଡ୍ରୋନ ପଠାଯାଉଥିବା କୁହାଯାଉଛି ।