ଉପରମୁଣ୍ଡରେ ପ୍ରବଳ ବର୍ଷା, ବୈତରଣୀରେ ବନ୍ୟା ପରିସ୍ଥିତି

ଭଦ୍ରକ,ଏନ୍ଏନ୍ଏସ୍: ଜିଲ୍ଲାର ତଳିଆ ଅଞ୍ଚଳରେ ବର୍ଷା ଓ ବନ୍ୟାଜଳ ଗାଁ ଭିତରୁ କମି ନାହିଁ । ବନ୍ୟାଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ସେପଟେ ପୁଣି ଥରେ ବୈତରଣୀ ନଦୀରେ ଦ୍ବିତୀୟ ବନ୍ୟା ଆସିଛି । ଏହି ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସିଛି । ଆଖୁଆପଦା ଠାରେ ଏହି ନଦୀର ବିପଦ ସଙ୍କେତ ୧୭.୮୩ ମିଟର ଥିଲା ବେଳେ ଏହା ୧୮.୪୫ ଉପରେ ପ୍ରବାହିତ ହେଉଛି । ଫଳରେ ଏହି ବନ୍ୟାଜଳ ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ।

ଗତ ବନ୍ୟାରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଏବଂ ଚାନ୍ଦବାଲି ବ୍ଲକର ୩୨ ଗୋଟି ପଞ୍ଚାୟତ ପ୍ରଭାବିତ ହୋଇଥିଲା । ପ୍ରାୟ ୨୦ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ବନ୍ୟା ପାଣି ମାଡି ଯାଇଥିଲା । ଶାଳନ୍ଦୀ ଏବଂ ବୈତରଣୀ ନଦୀରେ ଏକା ସାଙ୍ଗରେ ବନ୍ୟା ଆସିବା ଯୋଗୁଁ ଏବେ ବି ତିହିଡି ବ୍ଲକ ତଳିଆ ଅଞ୍ଚଳ ଗାଁ ଭିତରୁ ପାଣି ଛାଡି ନାହିଁ । ସେହିପରି ଧାମନଗର, ତିହିଡି ଏବଂ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ଚାଷ ଜମିରେ ବନ୍ୟା ପାଣି ଅଛି ।

ପୁଣି ବୈତରଣୀ ନଦୀର ଏହି ଦ୍ବିତୀୟ ବନ୍ୟା ଚାଷ ଓ ଚାଷୀଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରିବ ବୋଲି ଅନୁମାନ କରାଯାଉଛି । ଏହି ବନ୍ୟା ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ୨ ଓଡ୍ରାଫ ଏବଂ ୨ ଏନ୍‌ଡିଆର୍‌ଏଫ୍‌ ଟିମକୁ ମୁତୟନ କରାଯାଇଛି । ଏଥିସହ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକ ପଠାଯାଇ ସ୍ଥିତି ଉପରେ ନଜର ରଖାଯାଇଛି । ଝାଡଖଣ୍ତ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍‌ ଖୋଲା ଯିବା ପରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।