ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଗାଣ ବର୍ଷାରେ ଝାରସୁଗୁଡ଼ା ବେହାଲ ହୋଇପଡ଼ିଛି। ଇବ୍ ନଦୀ କୂଳ ଲଂଘିଥିବାବେଳେ ଆଖପାଖର ଗ୍ରାମ ଗଣ୍ଡଘୋରା, ଇଟାଭଟା, ଫଲସାପତର, ବୁଡ଼ିପଥର, ଜମେରା, ପୁଡ଼ାପାଲି, ଜାମାପାଲି, ମଲଦା, ସିଂହାବଗା, ଖଏଁଖାନୀ ଆଦି ଗ୍ରାମରେ ପାଣି ପଶଯାଇଛି। ଏହାସହ ଗ୍ରାମଗୁଡ଼ିକୁ ଯାଇଥିବା କଚ୍ଚା ରାସ୍ତା ଧୋଇହୋଇ ଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଇଟାଭଟା ଗ୍ରାମର ୨୯, ମଲଦାର ୨ ଓ ଖଏଁଖାନୀର ୨ଟି ପରିବାରର ପ୍ରାୟ ୧୦୦ରୁ ଉର୍ଦ୍ଧ ଲୋକଙ୍କୁ ସରକାରୀ ସହୟତାରେ ଉଚ୍ଚ ସ୍ଥାନକୁ ନେବାସହ କ୍ଲବ ଘର, ଅଙ୍ଗନବାଡ଼ି କେନ୍ଦ୍ର, ପଞ୍ଚାୟତ ଅଫିସ ଓ ସ୍କୁଲରେ ଥଇଥାନ କରାଯାଇଛି। ବର୍ଷା ପ୍ରଭାବିତ ଗ୍ରାମଗୁଡ଼ିକର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରିବା ସହ ଉପର ମୁଣ୍ଡରେ ଥଇଥାନର ବ୍ୟବସ୍ଥା କରାଯାଉଥିବା ଝାରସୁଗୁଡ଼ା ତହସିଲଦାର ଦିଲ୍ଲୀପ ପ୍ରଧାନ କହିଛନ୍ତି।
ସେହିପରି ବ୍ରଜରାଜନଗରର ଲମଟିବାହାଲ, ତେଲେନପାଲି, ରୋହିଦାସ ପଡ଼ାରେ ଜଳ ପଶିଥିବାବେଳେ ବେଲପାହାଡ଼ର ଗରାଖାଇ ଡ୍ୟାମ ଭାଙ୍ଗି ଯାଇଛି। ମାଲିପଡ଼ା, ଗୌନ୍ତିଆପଡ଼ା, ଉଡ଼ାଜାହାଜ ପଡ଼ିଆ, ଜାମାକାନୀ, ଯୋରାବଗା, କୁର୍ମୀପଡ଼ା, ଜୁନାଡ଼ିହି ଅଞ୍ଚଳ ମଧ୍ୟ ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି। ସ୍ଥାନେସ୍ଥାନେ ରାସ୍ତାଘାଟ ଭାଙ୍ଗିବା ସହ ଲୋକଙ୍କ କଚ୍ଚାଘର ମଧ୍ୟ ଭାଙ୍ଗି ଯାଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ତାରପୋଲିନ ଯୋଗାଇ ଦିଆଯିବା ସହ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ କୁହାଯାଇଥିବା ବେଲପାହଡ଼ ଆରଆଇ ଅକ୍ଷୟ ପାଣ୍ଡେ କହିଛନ୍ତି।