ଶେଷ ହେଲା ଅପେକ୍ଷା : ଟିକାକରଣ ଅଭିଯାନ ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱର ସର୍ବବୃହତ ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ଆଜି ୩ଲକ୍ଷରୁ ଉର୍ଦ୍ଧ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହି ଅବସରରେ ମୋଦୀ ଦେଶର ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ସହ ଖୁବ୍ କମ୍ ସମୟରେ ଟିକା ପ୍ରସ୍ତୁତ ହୋଇଥିବା କହିଛନ୍ତି।

ମୋଦୀ ଆହୁରି କହିଛନ୍ତି ଯେ, ଇତିହାସରେ କେବେ ବି ଏତେ ବଡ଼ ଧରଣର ଟିକାକରଣ ପ୍ରକ୍ରିୟା ହୋଇନାହିଁ। କରୋନା ବିରୋଧରେ ଲଢ଼ିବା ପାଇଁ ଦେଶବାସୀ ଯେପରି ଧୈର୍ଯ୍ୟ ପ୍ରଦର୍ଶନ କରିଛନ୍ତି ଟିକାକରଣ ସମୟରେ ମଧ୍ୟରେ ସେଭଳି ଧୈର୍ଯ୍ୟ ଦେଖାଇବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଲଗାଇବାର ଲକ୍ଷ୍ୟ ରଖାଯାଇଛି। ବୃଦ୍ଧ ଓ ରୋଗାଗ୍ରସ୍ତ ଲୋକଙ୍କୁ ଏହି ଚରଣରେ ଟିକା ଦିଆଯିବ। କରୋନା ଭ୍ୟାକ୍ସିନର ୨ଟି ଡୋଜ୍ ଲଗାଇବା ନିହାତି ଜରୁରୀ। ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ଅନ୍ତରାଳ ପାଖାପାଖି ମାସେ ରଖାଯାଇଛି। ଦ୍ୱିତୀୟ ଡୋଜ୍ ଲଗାଇବାର ୧୪ ଦିନ ପରେ ହିଁ ଶରୀରରେ କରୋନା ବିରୋଧରେ ଶକ୍ତି ବିକଶିତ ହେବ।

ମୋଦୀ ଟିକାକରଣ କାର୍ଯ୍ୟକ୍ରମକୁ ଐତିହାସିକ ଦର୍ଶାଇ କହିଛନ୍ତି ଯେ, ଭାରତର ଭ୍ୟାକ୍ସିନ ଦେଶର ଜଳବାୟୁ ପାଇଁ ଅନୁକୁଳ। ଦୁନିଆର ଅନ୍ୟ ଭ୍ୟାକ୍ସିନ ତୁଳନାରେ ଭାରତର ଭ୍ୟାକ୍ସିନ ଖୁବ୍ ଶସ୍ତା।